ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

ବିକଶିତ ଓଡ଼ିଶା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ୩୫ ମିନିଟ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ଫଳପ୍ରଦ- ମୁଖ୍ୟମନ୍ତ୍ରୀ

ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଏମ୍ସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି।

ଭୁବନେଶ୍ୱର ଏୟାରପୋର୍ଟ ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ,  ଏହି ଗସ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ପରେ ସେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାର ବିକାଶ ନେଇ ଦୀର୍ଘ ୩୫ ମିନିଟ ଧରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା ଫଳପ୍ରଦ ହୋଇଥିବା ସହିତ ଆଗମୀ ଦିନରେ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାର ବିକାଶ କିପରି ତ୍ୱରାନ୍ୱିତ ହେବ ସେଥି ଉପରେ ପର୍ଯ୍ୟବସିତ ଥିଲା।  ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ଭିଜନ ଡକୁମେଣ୍ଟ ପୁସ୍ତକ ପ୍ରଦାନ କରିଥିଲେ ।  ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସାକ୍ଷାତ କରିଥିଲେ।

ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଦେବା ପରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଆଗାମୀ ଦିନରେ ଯେଭଳି କୌଣସି ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ନଘଟେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ଏଥି ସହିତ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରୁ ଏମ୍ସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଏମ୍ସ ର ନିର୍ଦ୍ଦେଶକ ଏବଂ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ  ସହିତ ଆଲୋଚନା କରି ଥିଲେ ।

 ମୁଖ୍ୟମନ୍ତ୍ରୀ  ପୀଡ଼ିତା ଙ୍କ ବାପା ମା ଙ୍କୁ ଭେଟି ଶାନ୍ତ୍ବନା ଦେବାସହିତ ସ୍ୱାସ୍ଥ୍ୟବସ୍ଥା ରେ ଟିକେ ଉନ୍ନତି ଆସିଲେ ଆବଶ୍ୟକ ହେଲେ ବିମାନ ଯୋଗେ ଛାତ୍ରୀ ଜଣଙ୍କୁ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *