ଉପମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘର ଆବାସିକ ସମନ୍ୱୟକାରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

 କୃଷି, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା

ଭୁବନେଶ୍ୱର, ୦୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତରେ ଜାତିସଂଘର ଆବାସିକ ସମନ୍ୱୟକାରୀ (UN Resident Coordinator) ମିଷ୍ଟର ଷ୍ଟିଫାନ ପ୍ରିସନର୍ ଆଜି ଲୋକସେବା ଭବନଠାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ।

ଓଡ଼ିଶା ସରକାର ଏବଂ ଜାତିସଂଘ ମଧ୍ୟରେ ପ୍ରମୁଖ ବିକାଶମୂଳକ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଏହି ଆଲୋଚନା ହୋଇଥିଲା। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ପଥରେ ଭାରତ ଦୃଢ଼ ପଦକ୍ଷେପ ନେଉଛି ଏବଂ ଓଡ଼ିଶା କୃଷି, ଶିଳ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଏଥିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ରାଜ୍ୟ ସରକାର କୃଷିକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ସିଂହଦେଓ କହିଥିଲେ ଯେ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଏବଂ କୃଷି ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।

ଏହି ଆଲୋଚନାରେ ପର୍ଯ୍ୟଟନ ଓ ଐତିହ୍ୟ ପ୍ରସଙ୍ଗ ମଧ୍ୟ ପ୍ରାଧାନ୍ୟ ପାଇଥିଲା। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ୟୁନେସ୍କୋ (UNESCO) ବିଶ୍ୱ ଐତିହ୍ୟ ସ୍ଥଳ ଏବଂ ରଣିପୁର-ଝରିଆଲ ଓ ହରିଶଙ୍କର ଭଳି ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଓଡ଼ିଶାର ଅନନ୍ୟ ଆଦିବାସୀ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାକୁ ଅକ୍ଷୟ ଶକ୍ତିର ଏକ କେନ୍ଦ୍ର ଭାବେ ଗଢ଼ିତୋଳିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ହାସଲ କରିବା ଦିଗରେ ଜାତିସଂଘର ସହଯୋଗ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ। ମିଷ୍ଟର ଷ୍ଟିଫାନ ପ୍ରିସନର୍ ଓଡ଼ିଶାର କୃଷି ଏବଂ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ହୋଇଥିବା ପ୍ରଗତିର ପ୍ରଶଂସା କରିଥିଲେ। ଏଥିସହ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର, ଦକ୍ଷତା ବୃଦ୍ଧି ଏବଂ ସମାବେଶୀ ବିକାଶ କ୍ଷେତ୍ରରେ ଜାତିସଂଘ ସହଭାଗୀ ହେବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଥିଲେ।

ଓଡ଼ିଶାର ବିକାଶ ଯାତ୍ରାକୁ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳତାର ଏକ ମଡେଲ ଭାବେ ଗଢ଼ିତୋଳିବା ପାଇଁ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସଂକଳ୍ପବଦ୍ଧ ହୋଇଥିଲେ।

-0-

ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *