ଜିଲ୍ସା ମେଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା
ଯାଜପୁର,୦୫/୦୫/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାସ୍କୁଲ ସମ୍ମିଳନୀ କକ୍ଷରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀପାଇଁ ଓଡ଼ିଆରେ ଲିଖିତ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଚଳନ ସମ୍ପର୍କିତ ଆଲୋଚନା ଜିଲ୍ଲାର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। 
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉଚ୍ଚ ଶିକ୍ଷା ମାଧ୍ୟମିକ ନିର୍ଦ୍ଦେଶ ଲେଖିଥିବା ଅନୁଯାୟୀ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ଆଜି ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓ ପ୍ରକଳ୍ପ ନିର୍ଦ୍ଦେଶକ ନିରଦ ବରଣ ଖୁଣ୍ଟିଆଂକ ଉପସ୍ଥିତିରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଓଡ଼ିଆ ବିଜ୍ଞାନ ଅଧ୍ୟୟନ ଓ ଶିକ୍ଷା ପ୍ରଦାନ ସମ୍ବନ୍ଧୀୟ ସମସ୍ୟା ଓ ଏହାର ସମାଧାନ ତଥା ଉପାଦେୟତା ବିଷୟରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମାତୃଭାଷାରେ ବିଜ୍ଞାନ ଶିକ୍ଷା, ଶବ୍ଦାବଳୀ ମାନକୀକରଣ ଦ୍ୱାରା ଶବ୍ଦଗୁଡ଼ିକର ସରଳ ଓଡ଼ିଆ ରୂପାନ୍ତର, ପୁସ୍ତକର ସମୀକ୍ଷା ପ୍ରସ୍ତୁତ ପୁସ୍ତକର ବିଷୟବସ୍ତୁ, ଚିତ୍ର, ଉଦାହରଣ ଏବଂ ଅଭ୍ୟାସ ପ୍ରଶ୍ନ ଓ ଶିକ୍ଷଣ ପଦ୍ଧତି ଓଡ଼ିଆ ମାଧ୍ୟମରେ ବିଜ୍ଞାନର ପ୍ରୟୋଗାତ୍ମକ ଦିଗ କିପରି ପଢ଼ାଯିବ, ସେ ବିଷୟରେ ଆଲୋକପାତ କରି ଡକ୍ଟର ପୃଷ୍ଟି କହିଥିଲେ “ଭାଷା କେବେ ବି ଜ୍ଞାନ ଆହରଣରେ ବାଧା ହେବା ଉଚିତ ନୁହେଁ। ଅତୀତରେ ଭାରତବର୍ଷକୁ ଜ୍ଞାନର ଆଲୋକ ପ୍ରଦାନ କରିଥିବା ଯାଜପୁର ଆଜି ବିଜ୍ଞାନ କ୍ଷେତ୍ରରେ ବହୁ ପଛରେ ପଡିଛି। ତେଣୁ ଖଣିଜସମ୍ପଦ ଭରା ଏହି ମାଟିର ପିଲାମାନେ ନିଜ ଭାଷାରେ ବିଜ୍ଞାନ ପଢ଼ିଲେ ସେମାନେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ହେବାର ସ୍ୱପ୍ନକୁ ସାକାର କରି ପାରିବେ।” ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଂକ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ନାମଲେଖାରେ ୧୫% ସ୍ଥାନ ସଂରକ୍ଷିତ ରହିଛି।
ସେହିଭଳି ଆଇଏଏସ ଓ ଓଏଏସ ଆଦି ସମସ୍ତ ନିଯୁକ୍ତି ପରୀକ୍ଷା, ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରିକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସୁଥିବାରୁ ଓଡିଆରେ ବିଜ୍ଞାନ ପଢିଲେ ଭବିଷ୍ୟତରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ବୋଲି ପ୍ରଫେସର ନୀରଦବରଣ ଖୁଣ୍ଟିଆ ସୂଚନା ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଇଂଲିଶରେ ଦୁର୍ବଳ ସମସ୍ତ ପିଲା କିପରି ଓଡିଆରେ ବିଜ୍ଞାନ ବିଷୟକୁ ପଢିବେ, ସେ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅଧ୍ୟକ୍ଷ ତଥା ଶିକ୍ଷକମାନଂକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ କି ଉଚ୍ଚ ମାଧ୍ୟମିକ ସ୍ତରରେ ବିଜ୍ଞାନ ଶିକ୍ଷାପାଇଁ ଓଡ଼ିଆ ଭାଷା ଆଦୌ ପ୍ରତିବନ୍ଧକ ହେବ ନାହିଁ ବରଂ ଇଂରାଜିରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବହୁମାତ୍ରାରେ ସାହାଯ୍ୟ କରିବା ସହ ସେମାନେ ବିଷୟବସ୍ତୁକୁ ଠିକରେ ବୁଝିପାରିବେ ଓ ପରୀକ୍ଷାରେ ମଧ୍ୟ ଓଡ଼ିଆରେ ଲେଖି ପାରିବେ ।
ଶେଷରେ ମେଟ୍ରିକ ପରୀକ୍ଷାରେ ଜିଲ୍ଲାର ସର୍ବାଧିକ ନମ୍ବର ରଖିଥିବା ସତ୍ୟସାଇ ଉଚ୍ଚବିଦ୍ୟାଳୟ, କାକୁଡିକୁଦର ଶୁଭମ ସାହୁ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ ଦୁଇ ବିଜ୍ଞାନ ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସୁଦର୍ଶନପାଢୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ସିଂହ ଓ ରୋଜି ବାରିକଙ୍କୁ ଇନ୍ଦୁମତୀ ପୃଷ୍ଟି ମେଧାବୀ ବାଳିକା ଶିକ୍ଷା ପୁରସ୍କାର ପ୍ରଦାନ ସହ ଓଡିଆ ବିଜ୍ଞାନପୁସ୍ତକ ସେଟ ପ୍ରଦାନ କରାଯାଇଥିଲା । ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ କୁମାରସେନ ସେନାପତି ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
