ଯାଜପୁର ,୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଘରକୁ ଫେରିପାରିଲେନି ବରଯାତ୍ରୀ। ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇଓ୍ବାକୁ ପିଟିଲା ବୋଲେରେ। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଚାଲିଗଲା ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି। ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛ।
ସୂଚନା ଅନୁଯାୟୀ,ଆଜି ସକାଳ ପ୍ରାୟ ୮ଟା ସମୟରେ ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ହାଇୱା ପଛରେ ବରଯାତ୍ରୀ ଭୋଜି ଖାଇ ଫେରୁଥିବା ବୋଲେରୋ (ଓଡି ୦୨ ଏଇ ୦୪୨୯) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଙ୍କ ମଧ୍ୟରେ ୪ ଜଣ ମହିଳା ଅନ୍ତର୍ଭୁକ୍ତ । ୭ରୁ ଅଧିକ ଗୁରୁତର ଆହତ ହୋଇ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଓ ଆହତମାନେ ବଡ଼ଚଣା ଥାନା ପୁରୁଷୋତ୍ତମପୁର ଗ୍ରାମର ବୋଲି ଜଣା ପଡିଛି। ମୃତକ ମାନେ ହେଉଛନ୍ତି କାନ୍ଦ ପୂର୍ତ୍ତି (ପିତା – ଜୀବନ ପୂର୍ତ୍ତି), ନମିତା ନାୟକ (ସ୍ବାମୀ – ୰ସର୍ବେଶ୍ଵର ନାୟକ), ଗୀତା ପୂର୍ତ୍ତି (ସ୍ବାମୀ – କାନ୍ଦ ପୂର୍ତ୍ତି), ବଲ୍ମା ମୁଣ୍ଡା (ସ୍ବାମୀ-ରତ୍ନାକର ମୁଣ୍ଡା) ଏବଂ ମାଳତୀ ମୁଣ୍ଡା (ପିତା -ରତ୍ନାକର ମୁଣ୍ଡା) ଗତକାଲି ରାତିରେ ଚଣ୍ଡିଖୋଲ ଧାନମଣ୍ଡଳ ପୁରୁଷୋତ୍ତମପୁରରୁ ଏକ ବୋଲେରୋରେ ୧୩ରୁ ଅଧିକ ଯାତ୍ରୀ ନେଇ ଗାଡ଼ି କନ୍ତପଡ଼ା ଯାଇଥିଲା।
ବୋଲେରୋରେ ୨ଜଣ ଶିଶୁ ସମେତ ପୁରୁଷ ଓ ମହିଳା ବରଯାତ୍ରୀ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଆଜି ସକାଳେ ଘରକୁ ଫେରୁଥିଲେ। ବରଡ଼ା ଛକ ନିକଟରେ ପୂର୍ବରୁ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ହାଇୱା ପଛରେ ଭାରସାମ୍ୟ ହରାଇ ବୋଲେରୋ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର୍ ଥିଲା କି ଘଟଣାସ୍ଥଳରେ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବାକି ବୋଲେରୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ହାଇୱାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇଥିଲା। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ଘଟଣାସ୍ଥଳରେ ଯାଜପୁର ଏସଡ଼ିପିଓ, ବଡ଼ଚଣା ପୁଲିସ, ଜେନାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
