କଣାସ ଥାନାର ୩ ଏଏସ୍ଆଇଙ୍କ ବଦଳି, ୪ ଜଣ ଗିରଫ
ପୁରୀ,୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣା ରେ କଣାସ ଥାନାର ୩ ଏଏସ୍ଆଇଙ୍କୁ ପୁରୀ ଏସ୍ପି ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ
ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବାବେଳେ ବଜାରରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଏଭଳି ଅମାନବୀୟ ହିଂସାକାଣ୍ଡ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଘଟଣାଟି ଶନିବାର ସ୍ଥାନୀୟ ମାଛ ବଜାରରେ ଘଟିଥିଲା । ଘଟଣାରେ ୫ ଜଣ ଆକ୍ରମଣକାରୀ ସଂପୃକ୍ତ ଥିବା କୁହାଯାଇଛି । ସୂଚନା ଅନୁଯାୟୀ, କେତେକ ଦୁର୍ବୃତ ଏହି ଯୁବକଙ୍କୁ ପିଛା କରି ବଜାର ମଧ୍ୟରେ ଏଭଳି ଅମାନବୀୟ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିବା ପାଇଁ ମାଛକଟା ପନିକି ବ୍ୟବହାର କରିଥିବା କୁହାଯାଉଛି । ଆକ୍ରମଣକାରୀମାନେ ଏହି କାଣ୍ଡ ଘଟାଇ ତାଙ୍କୁ ବାଇକ ଚଢ଼ାଇ ମାରି ଦେବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ବଜାରରେ ଏଭଳି ଆତଙ୍କ ସୃଷ୍ଟି କରିଥିଲା ଯେ ଲୋକମାନେ ଯିଏ ଯେଉଁଠି ଥିଲେ ଭୟରେ ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ ।
ଏକ ସୂତ୍ରରୁ ପ୍ରକାଶ ଯେ ପୋଲିସ ଏନେଇ ସନ୍ଦେହ କରିଛି ଯେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଆକ୍ରମଣ ପଛର କାରଣ ହୋଇପାରେ । ଆକ୍ରମଣ ପରେ ସ୍ଥାନୀୟ କିଛି ଲୋକ ଏବଂ ପୋଲିସ ଆହତ ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ତାଙ୍କ ଆଘାତର ଗମ୍ଭୀରତା ଯୋଗୁଁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ପରେ ଭୁବନେଶ୍ୱର ସ୍ଥିତ ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ତିନୋଟି ସ୍ୱତନ୍ତ୍ର ଦଳ ଗଠନ କରିଛି ।
