ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

ଶ୍ରୀଜଗନ୍ନାଥ ସଂସ୍କୃତି ମାଧ୍ୟମରେ ଓଡିଆ ଅସ୍ମିତାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ପୁରୀ/ଭୁବନେଶ୍ୱର,୦୭/୦୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରୀଜଗନ୍ନାଥଙ୍କ ବିନା ଓଡିଆ ଅସ୍ମିତାର ସୃଷ୍ଟି ଓ ସ୍ଥିତି ଅସମ୍ଭବ । ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ତାଙ୍କର ସମସ୍ତ ରୀତିନୀତିରେ ଓଡିଆ ଅସ୍ମିତାର ପରିସ୍ପୁଟନ ହୋଇଥାଏ । ଏହି କ୍ରମରେ, ଶ୍ରୀଜଗନ୍ନାଥ ସଂସ୍କୃତି ମାଧ୍ୟମରେ ଓଡିଆ ଅସ୍ମିତାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉଦ୍ୟମ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ ବୋଲି ପବିତ୍ର ପୁରୀ ରଥଯାତ୍ରା-୨୦୨୪ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି ।

          ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି ବର୍ଣ୍ଣାଢ୍ୟ ଓ ଆକର୍ଷଣୀୟ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସ୍ଥାନିତ ଶ୍ରୀମନ୍ଦିର ଓ ରଥଯାତ୍ରାର ବହୁ ବିରଳ ଓ ଦୁର୍ଲ୍ଲଭ ଫଟୋଚିତ୍ର ଓ ପେଣ୍ଟିଂ ଏବଂ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ରୀତିନୀତି, ପୁରୀର ବିଭିନ୍ନ ମଠ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣି, ଚଳିତବର୍ଷର ରଥକାଠ ଅନୁକୂଳଠାରୁ ଆରମ୍ଭ କରି ରଥ ନିର୍ମାଣର ସମସ୍ତ ପ୍ରକ୍ରିୟାର ଫଟୋ ଏବଂ ସେଗୁଡିକ ସହିତ ଖାପଖାଉଥିବା ପୁରାତନ ରଚନାରୁ ଉର୍ଦ୍ଧୃତ କବିତା ପଂକ୍ତିଗୁଡିକୁ ଦେଖି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିମୋହିତ ହେବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡିଆ ଅସ୍ମିତାର ପ୍ରଚାର-ପ୍ରସାର ଦିଗରେ ବିଭାଗର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ପ୍ରଦର୍ଶନୀରେ ସ୍ଥାନିତ ଫଟୋ ଓ କବିତା ପଂକ୍ତିଗୁଡ଼ିକ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ମାନନୀୟା ଉପ-ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ।

          ପ୍ରଦର୍ଶନୀ ଉଦ୍‌ଘାଟନ ସମୟରେ ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ପୁରୀ ଜିଲ୍ଲାର ସାଂସଦ ଓ ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଗୁହା ପୂନମ ତାପସ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିୟ ରଞ୍ଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗର ପଦଧିକାରୀମାନେ ଏବଂ ଅନ୍ୟାନ୍ୟ ଲୋକପ୍ରତିନିଧିଗଣ ଉପସ୍ଥିତ ଥିଲେ । ଗତକାଲି ଅପରାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ପଲ୍ଲୀଶ୍ରୀ ମେଳାକୁ ଆସି ଉପସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଓର୍‌ମାସ୍‌ର ପଦାଧିକାରୀମାନଙ୍କ ସହିତ ପ୍ରଦର୍ଶନୀର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *