କେନ୍ଦ୍ରାପଡ଼ା,୧୯/୮/୨୦୨୪ (ଓଡ଼ିଶା ସମାଚାର)-ବାନ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର(ଗୁପ୍ତିରା)ଗ୍ରାମର ସରସ୍ୱତୀ ବାଇ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ଥାଇ ତାଙ୍କର ସମସ୍ତ ଜମିଜମା ଆସବାବପତ୍ର ବିକ୍ରି କରିସାରିଛନ୍ତି । କିନ୍ତୁ ସେ ଆରୋଗ୍ୟ ହୋଇ ପାରିନାହାନ୍ତି । ଏସମ୍ପର୍କରେ ଖବର ପାଇବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରିଟସ ପ୍ରାଧ୍ୟାପକ ଡ.ଦେବେନ୍ଦ୍ର କୁମାର ଦାସ ଟ୍ରଷ୍ଟର ସଂଯୋଜକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ପିଡିତାଙ୍କ ବାସଭବନରେ ପହଂଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହିତ ଶ୍ରୀ ମହାନ୍ତି ସମସ୍ତ ସହୃଦୟ ବ୍ୟକ୍ତିମାନଙ୍କୁ ପିଡିତାଙ୍କୁ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି । ସହାୟତା ପ୍ରଦାନ ବେଳେ ସାମାଜିକ କର୍ମୀ ଭାଗିରଥୀ ଜେନା ଓ କଳ୍ପତରୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।