୩୬୩୫ ପଂଚାୟତ ହାସଲ କରିଛନ୍ତି ଉଲ୍ଲେଖନୀୟ ଅଗ୍ରଗତି

ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମାକୁ ସର୍ବଶ୍ରେଷ୍ଠ ପଂଚାୟତ ମାନ୍ୟତା

ନୂଆଦିଲ୍ଲୀ, ୩୦/୦୪/୨୦୨୬(ଓଡ଼ିଶା ସମାଚାର /ପିଆଇବି): ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଂଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି  । ୨୦୨୩-୨୪ ଆର୍ଥôକ ବର୍ଷ ଲାଗି ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦେଶର ୩୬୩୫ଟି ପଂଚାୟତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି  । ତୃଣମୂଳ ସ୍ତରର ପ୍ରଶାସନକୁ ସୁଦୃଢ଼ କରିବା ଏବଂ ସମାବେଶୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ  । ଦେଶର ୧,୧୮,୮୨୪ଟି ପଂଚାୟତ ପ୍ରଦର୍ଶନକାରୀ ବର୍ଗରେ ସ୍ଥାନ ପାଇଛନ୍ତି  । ଦାରିଦ୍ର୍ୟ ଦୂରୀକରଣ ଓ ପଂଚୟତରେ ଅଧିକ ଜୀବିକା ସୁଯୋଗ ଏବଂ ସୁସ୍ଥ ପଂଚାୟତ ବିଷୟବସ୍ତୁ ବର୍ଗରେ ମୋଟ୍ ୩,୩୧୩ ପଂଚାୟତ ଭଲ ପ୍ରଦର୍ଶନ କରିଛନ୍ତି  । ଏସବୁ ପଂଚାୟତକୁ ଏ ପ୍ଲସ୍ ମାନ୍ୟତା ମିଳିଛି  । ସେହିପରି ୧,୦୧୫ଟି ପଂଚାୟତ ସୁସ୍ଥ ପଂଚାୟତ ବର୍ଗରେ ଏ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି  ।

ଏସବୁ ପଂଚାୟତ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟସେବା, ପୋଷଣ ସଚେତନତା, ସ୍ୱଚ୍ଛତା ଅଭ୍ୟାସ ଏବଂ ସାମାଜିକ ଅଂଶଗ୍ରହଣ କ୍ଷେତ୍ରରେ ଦୃଢ଼ ଫଳାଫଳ ପ୍ରଦର୍ଶନ କରିଛନ୍ତି  । ପଂଚାୟତ ପ୍ରଗତି ସୂଚକାଙ୍କର ଦ୍ୱିତୀୟ ସଂସ୍କରଣରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୯୭.୩୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୨,୫୯,୮୬୭ଟି ପଂଚାୟତ ଅଂଶଗ୍ରହଣ କରିଥିଲେ  । ଏଥିମଧ୍ୟରୁ ୩୬୩୫ଟି ପଂଚାୟତ ଏ, ୧୧୮୮୨୪ ପଂଚାୟତ ବି, ୧୨୩୭୧୯ ପଂଚାୟତ ସି ଏବଂ ୧୩୬୮୯ଟି ପଂଚାୟତ ଡି ବର୍ଗରେ ରହିଛନ୍ତି  । ଓଡ଼ିଶାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ପଂଚାୟତ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ପଂଚାୟତ ଭାବେ ‘ଏ’ ମାନ୍ୟତା ହାସଲ କରିଛି  । ରାଜ୍ୟର ୫୫୫ଟି ପଂଚାୟତ ପ୍ରଥମ, ୪୫୬୬ ପଂଚାୟତ ଦ୍ୱିତୀୟ, ୧୬୨୭ଟି ପଂଚାୟତ ତୃତୀୟ ଏବଂ ୪୬ଟି ପଂଚାୟତ ଚତୁର୍ଥ ବର୍ଗରେ ରହିଛନ୍ତି । ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ୍ ସୋହପୁର ପଂଚାୟତ ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନତ ଜୀବିକା ପଂଚାୟତ ବର୍ଗରେ ଏ ପ୍ଲସ୍ ମାନ୍ୟତା ହାସଲ କରିଛି  । ସେହିପରି ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ୍ ରାୟପୁର ପଂଚାୟତ ସୁସ୍ଥ ପଂଚାୟତ ଭାବେ ଏ ପ୍ଲସ୍ ମାନ୍ୟତା ଲାଭ କରିଛି  ।

ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଶିଶୁ ଅନୁକୂଳ ପଂଚାୟତ ରୂପେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି  । କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ ପଡ଼ୁଆ ପଂଚାୟତ ଜଳ ସ୍ୱଚ୍ଛଳ ପଂଚାୟତ ରୂପେ ଏ ପ୍ଲସ୍ ମାନ୍ୟତା ପାଇଛି  । ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକ ର ହାତୀବନ୍ଧା ସ୍ୱଚ୍ଛ ଓ ସବୁଜ ପଂଚାୟତ ରୂପେ ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛି  । ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ୍ ଭଟକୁମରଡ଼ା ଆତ୍ମନିର୍ଭରଶୀଳ ଭିତିଭୂମି ବିଶିଷ୍ଟ ପଂଚାୟତ ରୂପେ ଏ ପ୍ଲସ୍ ମାନ୍ୟତା ଲାଭ କରିଛି  । ଗଞ୍ଜାମ ଜିଲା ପୋଲସରା ବ୍ଲକ୍ ମନ୍ଦାର ପଂଚାୟତ ସାମାଜିକ ସମାନତା ଓ ସାମାଜିକ ସୁରକ୍ଷିତ ପଂଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି  । ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ତୁରୁମୁ ପଂଚାୟତ ସୁଶାସନ ଏବଂ ପାତ୍ରପୁର ବ୍ଲକ୍ ଗୁଡ଼ିଆପଦର ମହିଳା ଅନୁକୂଳ ପଂଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ ମାନ୍ୟତା ଲାଭ କରିଛି  ।

Leave a Reply

Your email address will not be published. Required fields are marked *