ଭୁବନେଶ୍ୱର,୩୦/୦୪/୨୦୨୬(ଓଡ଼ିଶା ସମାଚାର)-ମାନ୍ୟବର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ, ଗତ୨୦୧୬ ମସିହା ଅଗଷ୍ଟ ମାସରେ କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକ ନଗରରେ ଘଟିଯାଇଥିବା ଏକ ଲୋମହର୍ଷଣକାରୀ ହତ୍ୟା ମାମଲାରେ ଆସାମୀ ସରୋଜ ଭବସାଗରକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାକ୍ରମେ: ଅଭିଯୁକ୍ତ ସରୋଜ ଭବସାଗର ବୃତିରେ ଜଣେ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ, ମୃତକ ଗୌରୀଶଙ୍କର ତନ୍ତୀ ହେଉଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ଭାଇ । ପୂର୍ବରୁ ଏକ ଝିଅ ଦେଖାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ଏବଂ କ୍ରମଶଃ ଏହା ଉଗ୍ର ରୂପ ଧାରଣ କରିଥିଲା । ନିଜର ମୋବାଇଲ ଫୋନ ଓ ଫେସବୁକ ଆକାଉନ୍ଟ ହ୍ୟାକ୍ ହେବା ନେଇ ଅଭିଯୁକ୍ତ ସରୋଜ, ମୃତକଙ୍କ ଉପରେ ସନ୍ଦେହ କରୁଥିଲେ । ଏଣୁ ତାଙ୍କୁ ହତ୍ୟା କରିବା ଲାଗି ପ୍ରାକ ଯୋଜନା ପ୍ରସ୍ତୁତ କରି ସରୋଜ ମୃତକଙ୍କୁ ବୌଦ୍ଧରୁ ସାଙ୍ଗରେ ନେଇ ଭୁବନେଶ୍ୱର ଆସିଥିଲେ ଏବଂ ଉଭୟ କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକ ନଗରରେ ଥିବା “ତାରା ରେସିଡେନ୍ସି” ର ରୁମ୍ ନମ୍ବର-୧ ରେ ରହିଥିଲେ ।
ଘଟଣା ଦିନ ଅର୍ଥାତ ଗତ ତା.୦୯.୦୮.୨୦୧୬ ମଧ୍ୟାହ୍ନରେ ଉଭୟ ଖାଇବା ମଗେଇକି ରୁମ୍ ଭିତରେହିଁ ସାଙ୍ଗ ହୋଇ ଖାଇଥିଲେ । ଖାଇବା ସମୟରେ ହିଁ ପୂର୍ବ ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା, ଏବଂ ଅଭିଯୁକ୍ତ ସରୋଜ ଏକ ଛୁରୀ ସାହାଯ୍ୟରେ ମୃତକ ଗୌରୀଶଙ୍କରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ମୃତକଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହତ୍ୟା ଘଟାଇବା ପରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଅଭିଯୁକ୍ତ ସରୋଜ ହୋଟେଲ ରିଶେପସନକୁ ଯାଇ ସେଠାରେ କିଛି ସମୟ ପାଇଁ ବସିଥିଲେ ଏବଂ ନିଜକୁ ଅସୁରକ୍ଷିତ ତଥା ଜୀବନକୁ ବିପଦ ଥିବା ଦର୍ଶାଇ ପୁଲିସ ସାହାଯ୍ୟ ଆବଶ୍ୟକ କରୁଛନ୍ତି ବୋଲି ରିଶେପସନରେ ଥିବା ହୋଟେଲ କର୍ମଚାରୀଙ୍କୁ ଜଣାଇ ଥିଲେ ।
ପରେ ରିଶେପସନ କର୍ମଚାରୀ ୧୦୦ କୁ ଫୋନ କରି ପୁଲିସକୁ ଏନେଇ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ସେଠାରେ ପହଂଚିବା ପରେ ସମସ୍ତେ ଅଭିଯୁକ୍ତଙ୍କ ସହ ରୁମ ନିକଟକୁ ଯାଇଥିଲେ । ଅଭିଯୁକ୍ତ ପାଖରେ ରଖିଥିବା ଚାବି ସାହାଯ୍ୟରେ କବାଟ ଖୋଲିବା ପରେ ରୁମ୍ ଭିତରେ ଗୌରୀଶଙ୍କରଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ପୁଲିସ ଓ ହୋଟେଲ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ଉପରୋକ୍ତ ଘଟଣାକୁ କେନ୍ଦ୍ର କରି କ୍ୟାପିଟାଲ ଥାନା କେସ ନଂ.-୩୦୩/୨୦୧୬, ଆଇପିସି ର ଧାରା-୩୦୨ ରେ ମାମଲା ରୁଜୁ ହୋଇଥିଲା ଏବଂ ଥାନାର ତତ୍କାଳୀନ ଥାନାଧିକାରୀ ଶ୍ରୀ ମାନସ ରଞ୍ଜନ ଗଡନାୟକତ୍ୱର୍ତମାନ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟରତ) ଏହି ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନିଜେ ବହନ କରିଥିଲେ । ମାମଲାର ତଦନ୍ତ କାଳରେ ଅଭିଯୁକ୍ତ ସରୋଜ ଭବସାଗରଙ୍କୁ ଗିରଫ କରାଯାଇଥିବା ବେଳେ, ତା.୦୫.୧୨.୨୦୧୬ ରେ ତାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା ।
ମାନ୍ୟବର ଅଦାଲତ ୨୦ ଜଣ ସାକ୍ଷୀଙ୍କ ଜବାନବନ୍ଦି ଏବଂ ୧୯ ଗୋଟି ପ୍ରାସଙ୍ଗିକ ଦଲିଲପତ୍ରକୁ ଅଧ୍ୟୟନ କରି ବିଚାର କାର୍ଯ୍ୟ ସମାପ୍ତ କରିଥିଲେ । ସେ ତାଙ୍କ ରାୟରେ ଅଭିଯୁକ୍ତ ସରୋଜ ଭବସାଗରଙ୍କୁ ଆଇପିସି ର ଧାରା-୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୨୦,୦୦୦ ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି ଏବଂ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତିରିକ୍ତ ୨ ବର୍ଷର ସଶ୍ରମ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ଶ୍ରୀମତୀ ଶୁଭଶ୍ରୀ ଜେନା (ଓଏସପିଏସ-୧) ସଫଳତାର ସହ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ୧୦୦ରୁ ଅଧିକ ମାମଲାରେ ଦୋଷୀମାନଙ୍କୁ ସଜ୍ଜା ଦିଆଯାଇ ଥିବାବେଳେ, ଭୁବନେଶ୍ୱର ସହରାଂଚଳ ଜିଲା ପୁଲିସ ପକ୍ଷରୁ ଚଳିତ ବର୍ଷର ଏହା ୪୭ ତମ ମାମଲା ।
