ଭୁବନେଶ୍ୱର,୨୮/୦୪/୨୦୨୬(ଓଡ଼ିଶା ସମାଚାର)-ଗତ କିଛିଦିନ ଧରି ଅସହ୍ୟ ଗରମରେ ସିଝୁଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିବ । ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରକୋପ ପରେ ଆଜି ମଙ୍ଗଳବାର ଠାରୁ ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଗାମୀ ପ୍ରାୟ ୭ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ଆଜି ମଙ୍ଗଳବାର ଏପ୍ରିଲ ୨୮ ତାରିଖ ରୁ ମେଁ ୨ ତାରିଖ ପର୍ୟ୍ୟନ୍ତ ୫ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଏପ୍ରିଲ ୨୯ରେ ଏକ ଟ୍ରଫ୍ ଲାଇନ ଯୋଗୁଁ ବର୍ଷାର ପରିମାଣ ଅଧିକ ରହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କି.ମି. ପର୍ୟ୍ୟନ୍ତ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବା ନେଇ ସୂଚନା ଦିଆଯାଇଛି।
ପାଣି ପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ସୋନପୁର ଜିଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୋନପୁର ଜିଲାରେ ରାତି ସମୟରେ ଗୁଳୁଗୁଳି ଅନୁଭୂତ ହେବା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ଓ୍ବାର୍ଣ୍ଣିଂ ଦିଆଯାଇଛି।
ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି। ସେହିପରି ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀଠାରୁ ଅଧିକ ରହିଥିଲା। ଝାରସୁଗୁଡାରେ ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବରଗଡ଼ରେ ୪୩.୯ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ବଲାଙ୍ଗୀରରେ ୪୩.୩ ଡିଗ୍ରୀ, ସମ୍ବଲପୁର, ନୂଆପଡ଼ାରେ ୪୩.୨ ଡିଗ୍ରୀ, ରାଉରକେଲା, ଟିଟିଲାଗଡ଼, ହୀରାକୁଦ ଏବଂ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ସୋନପୁରରେ ୪୨.୮ ଡିଗ୍ରୀ, ତାଳଚେରରେ ୪୨.୬ ଡିଗ୍ରୀ, ଅନୁଗୁଳରେ ୪୨.୩ ଡିଗ୍ରୀ, ଭବାନୀପାଟଣାରେ ୪୨.୨ ଡିଗ୍ରୀ ଏବଂ ନୟାଗଡ଼ରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି।
ଅପ୍ରେଲ ୨୭ ତାରିଖ ରୁ ମେଁ ୧ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଅପ୍ରେଲ ୨୭ ଓ ୨୮ ତାରିଖରେ ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ତଥା ଏହାର ଝଟକା ୭୦ କି.ମି. ଛୁଇଁପାରେ । ସେହିପରି ଅପ୍ରେଲ ୨୯ତାରିଖ ରୁ ମେଁ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କି.ମି. ତଥା ଏହାର ଝଟକା ୬୫ କି.ମି. ଛୁଇଁପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ରୁ ଏହି ସୂଚନା ମିଳିଛି ।
