ସୁରକ୍ଷା ପାଇଁ ଅଣାଯାଉ ସ୍ୱତନ୍ତ୍ର ଆଇନ
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର
କେନ୍ଦୁଝର,୨୮/୦୪/୨୦୨୬ (ଓଡ଼ିଶା ସମାଚାର)- ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ଏବେ ବି ବଳଦ ମାଧ୍ୟମରେ କୃଷି କାର୍ଯ୍ୟ ହୁଏ । ଦେଶରେ ୮୫ ଭାଗ ଲୋକେ ହିନ୍ଦୁ ହୋଇଥିବାରୁ ଗାଈକୁ ମାଆ ବୋଲି ମାନନ୍ତି ଆଉ ପୂଜା କରନ୍ତି । ସମଗ୍ର ଦେଶରେ ତେଣୁ ଗୋ ସମ୍ପଦର ରକ୍ଷା ନିହାତି ଏବେ ଜରୁରୀ ହୋଇପଡିଛି । ଗ୍ରାମ ଗ୍ରାମ ସହର ସହରରେ ଗୋଶାଳା ଗଢି ଉଠିବାକୁ ଆଜି ଆହ୍ୱାନ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲା ତମାମ ଭାରି ଯାନ ବିଶେଷ ଭାବେ ଚଳାଚଳ କରୁଥିବାରୁ ଅନେକ ଜୀବଜନ୍ତୁ ବିଶେଷ କରି ଗାଈଗୋରୁ ଷଣ୍ଢ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହାରୁଛନ୍ତି ।
ବଂଚିଥିବା ଜୀବଙ୍କୁ କିଛି ସମାଜସେବୀ ସେବା କରି ବଂଚାଉଛନ୍ତି । ଏହି ସମାଜସେବୀମାନେ ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ ବ୍ୟାନର ତଳେ ଏକାଠି ହୋଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ତହସିଲ ଛକ ଯାଏଁ ଗୋରକ୍ଷା ଲାଗି ଦାବି କରି ଏକ ଶୋଭାଯାତ୍ରା କରିଥିଲେ । ଗୋବଂଶ ରକ୍ଷା, ଗୋଶାଳା ନିର୍ମାଣ କରିବା ସହ ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ସେମାନେ ଦାବି କରିଥିଲେ । ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଗୋସୁରକ୍ଷା ଦେଇ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ହଜାର ହଜାର ସ୍ୱାକ୍ଷର ସଂଗ୍ରହ କରିଥିଲେ ।
ତେଣୁ ସେମାନେ ସଦର ତହସିଲଦାରଙ୍କ ମାଧ୍ୟମରେ ଏହି ସଂକ୍ରାନ୍ତରେ ଦାବି ପୂରଣ ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । କାର୍ଯ୍ୟକ୍ରମରେ ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ର ମୁଖ୍ୟ ମୋନାଲିସା ଦାଶ, ସମାଜସେବୀ ପ୍ରଣବ କୁମାର ବେହେରା, ଡମ୍ବରୁଧର ମହାନ୍ତ,ସରୋଜ ପ୍ରସାଦ ଦାଶ, ବାଳକୃଷ୍ଣ ଗିରି,ପ୍ରଫୁଲ୍ଲ ଭାଇ,ମାମିନା ଦିଦି, ମିଲନ ଭାଇ, ପଦ୍ମିନୀ ମହାରଣା,ସୋନି, ପ୍ରହ୍ଲାଦ ଭାଇ, ଗାୟତ୍ରୀ ପରିବାର ଓ ଆଦିତ୍ୟ ବାହିନୀ ସଦସ୍ୟ ମାନେ ଯୋଗ ଦେଇଥିଲେ ।
