ଜଳବାୟୁ ପ୍ରତିରୋଧୀ ବାସଯୋଗ୍ୟ ସହର
ଭୁବନେଶ୍ୱର,୧୯/୦୧/୨୦୨୬ (ଓଡ଼ିଶା ସମାଚାର)- ‘ସହଭାଗୀ ବିକାଶ ମଂଚ’ ଓ ‘ଆଇ.ଆଇ.ଇ.ସି’ ର ମିଳିତ ସହଯୋଗରେ ‘ଓଡ଼ିଶା ନଗର ସମ୍ମିଳନୀ-୨୦୨୬’ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଭୁବନେଶ୍ୱର ମହାନଗର ନିଗମର ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର ଉଦଘାଟନ କରିଥିଲେ ।
ସଚ୍ଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ନିର୍ମଳ ସହର ଗଢ଼ିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା । ପୂର୍ବ ସରକାର ବେଳେ ବସ୍ତିବାସିନ୍ଦାଙ୍କ ସୁରକ୍ଷା ପାଇଁ ଜାଗା ମିଶନ ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ସହରଗୁଡ଼ିକରେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା । ରାଜ୍ୟ ସରକାର ନିର୍ଦେଶ ଦେଲେ ବି.ଏମ୍.ସି. ବାକି ରହିଥିବା ଭୂମି ପ୍ରମାଣପତ୍ର ଆବଂଟନ କରିବେ । ନଚେତ୍ ଜମି ବାବଦକୁ ଆଦାୟ ଅର୍ଥ ଫେରସ୍ତ କରାଯିବ ବୋଲି ମେୟର ପ୍ରକାଶ କରିଥିଲେ ।
ନ୍ୟାସ୍ନାଲ୍ ହାଉସିଂ ଷ୍ଟାଣ୍ଡାର୍ଡ ଅନୁଯାୟୀ ସମସ୍ତଙ୍କ ପାଇଁ ଜମି ଓ ବାସଗୃହ ନିର୍ମାଣ ପାଇଁ ବର୍ଗଫୁଟ୍କୁ ୧୭୫୦ ଟଙ୍କା ହିସାବରେ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ସହରାଂଚଳ ପରିବେଶ ସୁଧାରିବା ପାଇଁ ସମସ୍ତ ସହରବାସୀଙ୍କ ଦାୟିତ୍ୱ ରହିଛି । ଡେପୁଟି ମେୟର ମଞ୍ଜୁଲତା କଅଁର କହିଥିଲେ ଯେ ସମସ୍ତ ବସ୍ତିବାସିନ୍ଦାଙ୍କ ସହ ଆମେ ରହିଛୁ । ଆଗାମୀ ଦିନରେ ବସ୍ତି ଓ ସାହିର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବୁ । ଆଇ.ଆଇ.ଇ.ସି.ର ନିର୍ଦେଶକ ଡ. ଶିଶିର କୁମାର ଦାସଙ୍କ ତତ୍ୱାବଧାନରେ ସହଭାଗୀ ବିକାଶ ମଂଚ ସହରାଂଚଳର ଜଳବାୟୁ ପରିବର୍ତନ ପାଇଁ ଯୁବ ଓ ମହିଳାମାନଙ୍କୁ ସଶକ୍ତ କରିବା ସହିତ ଯୁବ ଟାକ୍ସଫୋର୍ସ ଗଠନ କରିବାରେ ପ୍ରମୁଖ ଦାୟିତ୍ୱ ନିବାହ କରିଛନ୍ତି । ଭିନ୍ନକ୍ଷମ ଏବଂ କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ସେମାନଙ୍କ ରୋଜଗାର ଓ ସୁରକ୍ଷାକୁ ରାଜ୍ୟସରକାର ସୁନିଶ୍ଚିତ କରନ୍ତୁ । ବାତ୍ୟା ଓ ବୈଦିଦୁର୍ବିପାକକୁ ଆଖି ଆଗରେ ରଖି ପ୍ରତି ସହରରେ ସହରାଂଚଳ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ସ୍ଥାପନ କରାଯାଉ । ବିଶୁଦ୍ଧ ପାନୀୟ ଜଳ, ସବୁଜ ଶକ୍ତି ଓ ଆବର୍ଜନା ମୁକ୍ତ ସହର ପାଇଁ ସଠିକ୍ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉ ।
ଏହି ସମ୍ମିଳନୀରେ ଆକ୍ସିଏଡି ଆସୋସିଏଟ୍ର ଆଂଚଳିକ ମୁଖ୍ୟ ଦେବବ୍ରତ ପାତ୍ର, ଓ.ଏଲ୍.ଏସ୍.ର ଅଧ୍ୟକ୍ଷା ଡ. କସ୍ତୁରୀ ମହାପାତ୍ର, ଉପଦେଷ୍ଟା ପ୍ରଦୀପ ପ୍ରଧାନ, ସି.ସି.ଡବ୍ଲୁ୍ୟ.ଡି.ର ସମ୍ପାଦକ ସଦାଶିବ ସ୍ୱାଇଁ, ସନ୍ଦିପ ପଟ୍ଟନାୟକ, ସିଏସ୍ଏମଆର ନିର୍ଦେଶକ ଧୀରେନ୍ଦ୍ର ପଣ୍ଡା, ଓଡ଼ିଶା ବିକଳାଙ୍ଗ ମଂଚର ଅଧ୍ୟକ୍ଷ ନିରଞ୍ଜନ ବେହେରା, କିନ୍ନର କଲ୍ୟାଣ ଟ୍ରଷ୍ଟର ଅଧ୍ୟକ୍ଷା ମେଘନା ସାହୁ, ରୋହନ ମହାନ୍ତି, ବେବି ନାୟକ, ମମତା ସିଂହ, ମିନତୀ ପ୍ରହରାଜ, ରଞ୍ଜୁଲତା ମହାପାତ୍ର, ପ୍ରଶାନ୍ତ ବେହେରା ଏବଂ ଯୋଗେନ୍ଦ୍ର ଡାକୁଅ ପ୍ରମୁଖ ଯୋଗଦେଇଥିଲେ ।
