ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ଜାଳିବା ସହ ସାଂସଦଙ୍କ ବିଭିନ୍ନ ସେବା କାର୍ଯ୍ୟ

ମୋଦିଜୀଙ୍କ ପାଇଁ ପଦବୀ ନୁହେଁ, ଜନସେବା ହିଁ  ମୂଳ ଲକ୍ଷ୍ୟଧର୍ମେନ୍ଦ୍ର ପ୍ରଧାନ

• ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଯୁଯୋମୁରା ବ୍ଲକ ଡ଼ଙ୍ଗାପାଳ ଗାଁରେ ଗ୍ରାମବାସୀଙ୍କ ସହ ‘ଆଶୀର୍ବାଦ ଦୀପ’ ଜାଳିଲେ ସାସଂଦ ଧର୍ମେନ୍ଦ୍ର ପ୍ରଧାନ
• ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦୀପ ଜାଳିଲେ
• ସେବା ସଂକଳ୍ପ ଅଭିଯାନରେ ଦେଶସେବାରେ ନିଜକୁ ସମର୍ପିତ କରିବାକୁ ଜନସାଧାରଣଙ୍କୁ ନିବେଦନ
• ‘ସେବା ସେତୁ’ କାର୍ଯ୍ୟକ୍ରମରେ ୧୫୫୨ ଜଣ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ହସ୍ତାନ୍ତର
• ‘ବସୁନ୍ଧରା ଯୋଜନା’ ମାଧ୍ୟମରେ ଶିଶୁଗୃହର ଅନ୍ତେବାସୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ
• ରେମେଡ଼ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବିତରଣ କଲେ, ‘ପୋଷଣ ମାସ’ ପ୍ରଦର୍ଶନୀ ଦେଖିଲେ ଏବଂ ମା’ ଭଉଣୀମାନଙ୍କୁ ଶାଢ଼ୀ ବିତରଣ କଲେ
• ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ  କଲେ ଉଦ୍‌ଘାଟନ
• ରେମେଡ ସେବା ସମବାୟ ସମିତି ପରିଦର୍ଶନ କରି ଚାଷୀଙ୍କ ସୁବିଧା ପାଇଁ କର୍ମକର୍ତ୍ତାଙ୍କ ସହ କଲେ ଆଲୋଚନା
• ଏଏମଏଚଏସଏସସି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷିତ ମା’ ଓ ଭଉଣୀମାନଙ୍କୁ ସାର୍ଟିଫିକେଟ୍ ଓ ସିଲେଇ ମେସିନ୍ ପ୍ରଦାନ କଲେ
• ସମ୍ବଲପୁର ଜଙ୍କସନ୍, ହୀରାକୁଦ ଓ ସମ୍ବଲପୁର ସିଟି ରେଳବାଇ ଷ୍ଟେସନ ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ, ବାଇକରେ ବୁଲି ରୋଡ ପ୍ରକଳ୍ପ କାର୍ଯ୍ୟ  ମଧ୍ୟ ଦେଖିଲେ
• ଯୁଯୋମୁରା ଠାରେ ଯୁଯୋମୁରା ଜମିଦାର ଶହୀଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ସମ୍ବଲପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)– ପଦବୀ ନୁହେଁ ଜନସେବା ହିଁ ଶାସନର ମୂଳ ଲକ୍ଷ୍ୟ ; ମାନ୍ୟବର ପ୍ରଧାନମନ୍ତ୍ରୀ ନିଜକୁ ‘ପ୍ରଧାନ ସେବକ’ ଭାବେ ସମର୍ପିତ କରି ଦେଶକୁ ଆଗେଇ ନେଉଛନ୍ତି” ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ପବିତ୍ର ବିଶ୍ୱକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ, ୨୫ ବର୍ଷର ଜନସେବା ତଥା ସୁଶାସନ ପୂର୍ତ୍ତି ଉପଲକ୍ଷେ ସମ୍ବଲପୁର ଠାରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ବିବିଧ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହ ଅବସରରେ ଶ୍ରୀ ପ୍ରଧାନ ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଯୁଯୋମୁରା ବ୍ଲକ ଡ଼ଙ୍ଗାପାଳ ଗାଁରେ ଗ୍ରାମବାସୀଙ୍କ ସହ ‘ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କରିଥିଲେ ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ । ଏହାସହ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ‘ସେବା ପକ୍ଷ’ ଅନ୍ତର୍ଗତ ଏହି ମହତ ପ୍ରୟାସରେ ସାମିଲ ହୋଇଥିବା ଯୁବ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ରେମେଡ଼ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କ ସହିତ ସମୟ ବିତାଇବା ସହ ପୁଷ୍ଟିକର ଖାଦ୍ୟ ବିତରଣ କରିଥିଲେ । ସେଠାରେ’ନବମ ରାଷ୍ଟ୍ରୀୟ ପୋଷଣ ମାସ’ ନିମନ୍ତେ ଏକ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ସମବେତ ମା’ ଭଉଣୀ, ଅଙ୍ଗନବାଡ଼ି କର୍ମଚାରୀ, ସହାୟିକା, ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କର ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଶାଢୀ ବିତରଣ କରିଥିଲେ । ସମ୍ବଲପୁରର ରେମେଡ ସେବା ସମବାୟ ସମିତି (ପିଏସିଏସ) ପରିଦର୍ଶନ କରିବା ସହ ସମିତିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହ ଚାଷୀଙ୍କ ସୁବିଧା ଦିଗରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରିଥିଲେ । ଯୁଯୋମୁରା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ, ସ୍ୱାଧୀନତା ସଂଗ୍ରାମୀ ତଥା ଯୁଯୋମୁରା ଜମିଦାର ଶହୀଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଂଧ୍ୟାରେ ଯୁଯୋମୁରା ବ୍ଲକ ଡ଼ଙ୍ଗାପାଳ ଗାଁରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଗାଁର ମା’, ଭଉଣୀ ଓ ଗ୍ରାମବାସୀଙ୍କ ଗହଣରେ ଦୀପ ଦାଳି ଛୋଟ ପିଲାମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଳନ କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ‘ସେବା ସେତୁ’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ୧୫୫୨ ହିତାଧିକାରୀଙ୍କୁ ସରକାରୀ ସହାୟତା, ନିଧି ଯୋଜନାରେ ଋଣ, ଘର, ରାସନ୍ କାର୍ଡ ଓ ପେନସନ୍ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ‘ବସୁନ୍ଧରା ଯୋଜନା’ ମାଧ୍ୟମରେ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ଶ୍ରୀ ପ୍ରଧାନ । ୧୮ ବର୍ଷ ପୂର୍ଣ୍ଣ ହେବା ପରେ ସେମାନେ ସରକାରୀ ସହାୟତାରେ ନିଜ ଜମିରେ ଘର ନିର୍ମାଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ପରେ ଏମଏମଏଚଏସସିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷିତ ମା’ ଓ ଭଉଣୀମାନଙ୍କୁ ଦକ୍ଷତା ପ୍ରମାଣପତ୍ର ଓ ସିଲେଇ ମେସିନ୍ ପ୍ରଦାନ କରିଥିଲେ । ବିକାଶ ଫାଉଣ୍ଡେସନ୍, ଓରମାସ ଓ ଗୁଡ୍ ଡିଡ୍ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଏହା ଆୟୋଜନ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱର ଲୋକପ୍ରିୟ ଜନନେତା । ଆଜି ତାଙ୍କର ୭୬ତମ ଜନ୍ମଦିନ ଦିବସ । ୨୦୦୧ ମସିହା ଅକ୍ଟୋବର ମାସରେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସେ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ତାଙ୍କୁ ପ୍ରକୃତ ଜନନେତାର ପରିଚୟ ଦେଇଛି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆମ ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାରା ଦେଶରେ “ସେବା ସଂକଳ୍ପ ଅଭିଯାନ – ନର ସେବା ହିଁ ନାରାୟଣ ସେବା” ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବକା ପ୍ରୟାସ ସଂକଳ୍ପରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ସେବା କରିବା ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଆମେ ‘ପୋଷଣ ମାସ’ ଅଭିଯାନକୁ ଏକ ଗଣଆନ୍ଦୋଳନରେ ପରିଣତ କରୁଛୁ। ଜିଲ୍ଲାର ପ୍ରାୟ ୭୫,୦୦୦ ଶିଶୁଙ୍କୁ ଅଙ୍ଗନବାଡ଼ି ମାଧ୍ୟମରେ ଫଳ, କାଜୁ-ପିସ୍ତା, ରାଶି ଲଡ଼ୁ ଓ ମିଲେଟ୍ ବିସ୍କୁଟ୍ ଭଳି ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । କାରଣ ଆଜିର ସୁସ୍ଥ ଓ ପୁଷ୍ଟ ଶିଶୁ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ସମାଜ ଓ ଦେଶର ନେତୃତ୍ୱ ନେବେ ବୋଲି ସେ କହିଥିଲେ । ପରିଶେଷରେ ଶ୍ରୀ ପ୍ରଧାନ ସେବା ସଂକଳ୍ପ ଅଭିଯାନରେ ସ୍ୱଚ୍ଛତା, ପୋଷଣ ଓ ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶସେବାରେ ନିଜକୁ ସମର୍ପିତ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଏହିଦିନ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଆସୁଥିବା ସମ୍ବଲପୁର ଜଙ୍କସନ୍, ହୀରାକୁଦ ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ପରିଦର୍ଶନ କରି ଚାଲିଥିବା ପୁନଃ ନବୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବାଇକରେ ବୁଲି ବୁଲି ସମ୍ବଲପୁରରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରୋଡ ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ତଦାରଖ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *