ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଢ଼େଙ୍କାନାଳ, ୨୪/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ସଂଧ୍ୟାରେ ସ୍ଥାନୀୟ ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟର ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।   ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରର ଲୋକଙ୍କ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରି ସମୃଦ୍ଧ ଢ଼େଙ୍କାନାଳ ଜିଲ୍ଲା ଗଠନ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ସୂଚ଼ନା ଯୋଗ୍ୟ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଢ଼େଙ୍କାନାଳ ଜିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନାରେ ୬୧୨୬ ଟି ଗୃହ ନିର୍ମାଣ କରି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି, ସେଥି ପାଇଁ ବଲାଙ୍ଗୀର ସ୍ଥିତ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀଙ୍କୁ ପୁରସ୍କୃତ  କରିଛନ୍ତି ।

୨୦୨୬-୨୭ ଆର୍ଥିକ ବର୍ଷରେ ଜିଲା ପାଇଁ ୧୩୫୬ଟି ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରର ୩୧ ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ୪ ଜଣଙ୍କୁ ପ୍ରୋତ୍ସାହନ ରାଶି (ପ୍ରତିକାତ୍ମକ ) ଅତିଥିମାନେ ପ୍ରଦାନ କରିଥିଲେ । ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଜ୍ଞାନରଂଜନ ନାୟକ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କାଳିନ୍ଦୀ ଚରଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ସଦର ବିଡ଼ିଓ ଶ୍ରୀ ରାହୁଲ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ସୁଶାନ୍ତ ପାଣି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *