କେନ୍ଦ୍ରାପଡ଼ା, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଜି ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟରେ ସେ ଯୋଗ ଦେଇଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ । ଜିଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ ପ୍ରଶାସନ ଓ ଦକ୍ଷତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଜିଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ । ସୂଚନାଯୋଗ୍ୟ ଯେ ୨୦୧୮ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ସମ୍ବଲପୁରର ଉପଜିଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଭାବେ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରି ସାରିଛନ୍ତି । ଜିଲା କାର୍ଯ୍ୟାଳୟରେ ପହଂଚିବା ସମୟରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପରେପରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ବିଡିଓ, ସମସ୍ତ ଲାଇନ ଡିପାର୍ଟମେଂଟ୍ ର ଅଧିକାରୀ, ସମସ୍ତ ନିର୍ବାହୀ ଅଧିକାରୀଙ୍କ ସହ ପରିଚିତ ହେବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଶାସନର ସମସ୍ତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଆସନ୍ତା ସାଧାରଣ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସେ ସମସ୍ତ ଅଧିକାରୀମାନକୁ ନିର୍ଦ୍ଧେଶ ଦେଇଥିଲେ । ଜିଲା କାର୍ଯ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭିତିଭୂମି ପରଖିବା ସହ ସେ ମୂଲ୍ୟବାନ ଉପଦେଶ ଦେଇଥିଲେ ।