ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ୧୫୭ ତମ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ଜଗତସିଂହପୁର, ୦୨/୧୦/୨୦୨୬(ଓଡ଼ିଶା ସମାଚାର)-  ଅହିଂସା ର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୭ ତମ ଜନ୍ମ ଜୟନ୍ତୀ , ତଥା ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ  ଆଜି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ  ଜିଲ୍ଲାପାଳ  ଶ୍ରୀ ଜେ ସୋନାଲ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାପତି, ଜିଲ୍ଳା ପରିଷଦ ଜଗତସିଂହପୁର ଶ୍ରୀ ମନୋଜ କୁମାର ଭୋଇ ତାଙ୍କ ଭାଷଣ ରେ ଗାନ୍ଧିଜୀ ଙ୍କ ଅହିଂସା, ନମ୍ରତା, ସତ୍ୟ ଓ ପରିଶ୍ରମର ମାର୍ଗରେ ଚାଲିବା ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥିଲେ। ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ, ସ୍ୱାବଲମ୍ବନ ଓ ନିଶାମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ଜୀବନରେ ତାଙ୍କ ଆଦର୍ଶକୁ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ସଭାର ସଭାପତି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତାଙ୍କ ବକ୍ତବ୍ୟରେ ଯୁବପିଢୀଙ୍କୁ କହିଥିଲେ ଯେ ଗାନ୍ଧୀଜୀଙ୍କୁ କେବଳ ଭକ୍ତିରେ ଅନୁସରଣ କର ନାହିଁ; ତାଙ୍କ ଚିନ୍ତାଧାରା, ଆଦର୍ଶ ଓ ଜୀବନ ଦର୍ଶନ ସହ ଗଭୀର ଭାବରେ ଜଡ଼ିତ ହୁଅ ଏବଂ ସମାଜରେ ସେହି ମୂଲ୍ୟବୋଧକୁ କାର୍ଯ୍ୟରେ ପରିଣତ କର। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ସହ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ ଓ ଦେଶସେବାକୁ ମଧ୍ୟ ନୂଆ ପିଢ଼ି ଜାଣିବା ଆବଶ୍ୟକ। ଇତିହାସର ବିଭିନ୍ନ ଘଟଣାକୁ ସମ୍ପୂର୍ଣ୍ଣ ଓ ତଥ୍ୟଭିତ୍ତିକ ଭାବେ ଅଧ୍ୟୟନ କରିବା ଦ୍ୱାରା ଯୁବପିଢ଼ି ଦେଶର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଧାରା ଓ ତାହାର ଅବଦାନ ବିଷୟରେ ଅଧିକ ସ୍ପଷ୍ଟ ଧାରଣା ପାଇପାରିବେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟର ମାର୍ଗ ମାନବ ସମାଜ ପାଇଁ ଚିର ପ୍ରେରଣା ଏବଂ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ  ‘ଜୟ ଜବାନ, ଜୟ କିସାନ’ ନାରା ଦେଶର ସୁରକ୍ଷା ଓ କୃଷକଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରେ । ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରଖି ଦୈନନ୍ଦିନ ଜୀବନ ଓ କାର୍ଯ୍ୟରେ ପ୍ରୟୋଗ କରିବା ହିଁ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ ।

ସମ୍ମାନନୀୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ୱଚ୍ଛତାକୁ ଆମ ଜୀବନ ଶୈଳୀରେ ଆପଣେଇବାକୁ ତାଙ୍କ ମତ ପ୍ରକାଶ କରିଥିଲେ ।

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି  ତଥା ଅନ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।

ସଭା ରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ବରିଷ୍ଠ ବୁଦ୍ଧିଜୀବୀ, ଆଇନଜିବୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ, ଅଭିଭାବକ ତଥା  ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ର ପ୍ରାରମ୍ଭ ରେ ଅତିଥି ମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ପରେ କ୍ରିଷ୍ଣା କଲଚୁରାଲ ଗ୍ରୁପ ଦ୍ଵାରା ଗାନ୍ଧୀ ଙ୍କ ପ୍ରିୟ “ବୈଷ୍ଣବ ଜନ ତୋ” ପରିବେଷଣ କରଯାଇଥିଲା।ବରିଷ୍ଠ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ପ୍ରାତଃ ୪ଘ.୩୦ ମିି ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ସାହାଯ୍ୟରେ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା।

ପରେ ବିଦ୍ୟାଳୟ ଗୁଡିକରେ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା। ଥାନା ପରିସର ତଥା ଗାନ୍ଧୀ ଛକ ରେ ଥିବା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତୀ ରେ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସମ୍ମୁଖ ରେ ଥିବା ଗାନ୍ଧିଜୀ ଙ୍କ ଫୋଟୋ ଚିତ୍ର ରେ ମୁଖ୍ୟ ଅତିଥି ଏବଂ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *