ଯୁବପିଢିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବା ଦିଗରେ ଭଲ ପ୍ରୟାସ – ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରିବା
• ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ
ସମ୍ବଲପୁର, ୨୩/୦୪/୨୦୨୬ (ଓଡ଼ିଶା ସମାଚାର)-ସମ୍ବଲପୁରର ଟାଉନ୍ ହଲ୍ ପଡ଼ିଆ ଠାରେ ଆୟୋଜିତ “ସ୍ୱର୍ଗତ ସୁରେଶ ସେଠ୍ ମେମୋରିଆଲ୍ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ (ସିଜନ୍-୩)”ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ଫୁଟବଲ, ହକି, କ୍ରିକେଟ୍ ଏବଂ ସନ୍ତରଣ ସମେତ କବାଡିର ଏକ ସମୃଦ୍ଧ ପରମ୍ପରା ରହିଛି । ଏହି ଲିଗ୍ ମ୍ୟାଚ୍ରେ ୧୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷା ନୀତିରେ ଖେଳକୁ ପାଠପଢାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର କବାଡି କ୍ଲବ୍ ଏବଂ ସମ୍ବଲପୁର ବଏଜ୍ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରୟାସ ଯୁବପିଢିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବାରେ ବେଶ ସହାୟକ ହେବ ।
ଅପରପକ୍ଷରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ କବାଡି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ବଲପୁରରେ ପୁଣି ଥରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରାଯିବ । ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।
ମନ୍ତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମଗ୍ରିକ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
