ଜଳଲାଗି ଦେଖିବାକୁ ଯାଇଥିବା ନାବାଳିକାକୁ ବଳାତ୍କାର ଘଟଣା ରେ ଅଭିଯୁକ୍ତ ଅଟୋଚାଳକକୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା,୧୮/୦୪/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ଅଟୋଚାଳକ ପ୍ରତାପ ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆସାମୀ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବ ବୋଲି ବିଚାରପରି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ଗ୍ରାମର ଜଣେ ନାବାଳିକା ତାଙ୍କର ଅନ୍ୟଜଣେ ଭଉଣୀ ସହ ୨୦୨୪ ମସିହା ଅଗଷ୍ଟ ମାସ ୧୧ ତାରିଖରେ ପାଖ ଗାଁରେ ଥିବା ଶିବ ମନ୍ଦିରକୁ ଜଳ ଲାଗି ଦେଖିବାକୁ ଯାଇଥିଲେ । କାରଣ ଏହି ଶିବ ମନ୍ଦିରକୁ ଜଳଲାଗି କରିବାକୁ ବହୁ ସଂଖ୍ୟାରେ କାଉଡିଆ ଶ୍ରାବଣ ମାସରେ ଆସିଥାନ୍ତି ।

ଜଳଲାଗି ଦେଖି ସାରିବା ପରେ ଦୁଇଭଉଣୀ ଘରକୁ ଫେରିବା ପାଇଁ ବାହାରି ଥିଲେ । ହେଲେ ଠିକ ସେତିକିବେଳେ ଅଭିଯୁକ୍ତ ଅଟୋ ଚାଳକ ପ୍ରତାପ ମଲ୍ଲିକ ସେମାନଙ୍କୁ କହିଥିଲା ଅଟୋରେ ବସାଇ ଗାଁରେ ଛାଡ଼ିଦେବ । ଫଳରେ ଅଟୋ ଚାଳକକୁ ପୂର୍ବରୁ ଜାଣିଥିବାରୁ ଦୁଇ ଭଉଣୀ ଏଥିରେ ରାଜି ହୋଇଯାଇଥିଲେ । ସେହି ଅଟୋରେ ଦୁଇ ଭଉଣୀଙ୍କ ସହ ଅନ୍ୟ କେତେକ ପିଲା ବସିଥିଲେ । ଅଭିଯୁକ୍ତ ଅଟୋଚାଳକ ଜଣକ ଅନ୍ୟ ପିଲାମାନଙ୍କୁ ସେମାନଙ୍କ ଘର ନିକଟରେ ଛାଡ଼ିବା ପରେ ଏହି ଦୁଇ ଭଉଣୀଙ୍କୁ ନିଜ ଘର ଆଡକୁ ନେଇଥିଲା । ନାବାଳିକା ଦ୍ୱୟ ଅଟୋ ଚାଳକଙ୍କ ମନ୍ଦ ଉଦ୍ଧେଶ୍ୟ ବୁଝି ପାରିନଥିଲେ । ଅଟୋ ଚାଳକ ନିଜ ଘରକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ସହ ବଳାତ୍କାର କରିଥିଲେ । ଏ ସମ୍ପର୍କରେ କାହାକୁ କିଛି କହିଲେ ଜୀବନରେ ମାରିଦେବ ବୋଲି ଅଟୋଚାଳକ ଉଭୟ ଭଉଣୀଙ୍କୁ ଧମକ ଦେଇଥିଲା । ଫଳରେ ଘଟଣା ସମ୍ପର୍କରେ କେହି କିଛି କହି ନଥିଲେ । କିନ୍ତୁ ନାବାଳିକା ଜଣଙ୍କ ପରିସ୍ରା କରିବାରେ ଜନ୍ତ୍ରଣା ହୋଇଥିଲା ।

ଏ ନେଇ ପରିବାର ଲୋକେ ସନ୍ଦେହ କରିଥିଲେ । ଡାକ୍ତରଖାନାକୁ ନେବାରେ ଜଣାପଡିଥିଲା ଯେ ତାଙ୍କୁ ବଳାତ୍କାର କରାଯାଇଛି । ଏହାପରେ ନାବାଳିକା ଦ୍ୱୟ ଘଟଣା ସଂକ୍ରାନ୍ତରେ ସମସ୍ତ କଥା ବର୍ଣ୍ଣନା କରିଥିଲେ । ଏ ନେଇ ନାବାଳିକାଙ୍କ ମା’ ଥାନାରେ ଏତଲା ଦେଇଥିଲେ । ସେହି ଏତଲାକୁ ଭିତି କରି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାର ତତ୍କାଳୀନ ଦକ୍ଷ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହାସହ କୋର୍ଟରେ ସଠିକ ସମୟରେ ଅଭିଯୋଗ ଫର୍ଦ ମଧ୍ୟ ଦାଖଲ କରିଥିଲେ । ସେହିପରି ଅଭିଯୁକ୍ତ କିପରି ଦୋଷୀ ସାବ୍ୟସ୍ତ ହେବ ସେ ନେଇ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଯୋଗାଡ଼ କରିଥିଲେ । ଫଳରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସମ୍ଭବ ହୋଇପାରିଛି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ପ୍ରତାପ ମଲ୍ଲିକଙ୍କୁ ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି । ନାବାଳିକାଙ୍କ ଥଇଥାନ ପାଇଁ ଜିଲା ଆଇନ ସେବା ପ୍ରାଧିକାରଣ ଜରିଆରେ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ବିଚାରପତି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସମରକେଶରୀ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *