— ସହଯୋଗ ପାଇଁ ଜିଲ୍ଲା ପ୍ରଶାସନର ଆହ୍ୱାନ
ଯାଜପୁର, ୧୭/୦୪/୨୦୨୬ (ଓଡ଼ିଶା ସମାଚାର)-ପ୍ରଶାସନ ପକ୍ଷରୁ ୨୦୨୭ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହିକ୍ରମରେ ଏପ୍ରିଲ ୧୬ ତାରିଖରୁ ସାରା ଦେଶ ସମେତ ଯାଜପୁର ଜିଲ୍ଲାରେ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଗଣନା ଏପ୍ରିଲ ୧୬ ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସ୍ଵ-ଗଣନା ଅବଧି ରହିଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ରୀୟ ସ୍ତରରେ ଗୃହ ଗଣନା କରାଯାଉଛି। ପ୍ରତି ତହସିଲ ଏବଂ ସହରାଞ୍ଚଳରେ ଏଥିପାଇଁ ଟିମ୍ ନିୟୋଜିତ ହୋଇଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଗଣନା ପାଇଁ ଆସୁଥିବା କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଉଛି। ଏହି ପର୍ଯ୍ୟାୟରେ ଲୋକମାନଙ୍କୁ ମୋଟ ୩୩ଟି ପ୍ରଶ୍ନ ପଚରାଯିବ । ଏଥିରେ ଘରର ଅବସ୍ଥା, ଘରର ମାଲିକାନା, ପରିବାରରେ ରହୁଥିବା ସଦସ୍ୟଙ୍କ ସଂଖ୍ୟା, ପାଣି ଓ ବିଦ୍ୟୁତ ସୁବିଧା, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା, ଯାନବାହନ, ମୋବାଇଲ ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ୩୩ ଟି ପ୍ରଶ୍ନ ଆଧାରରେ ତଥ୍ୟ ସଂଗ୍ରହ ହେବ। ଏହି ଜନଗଣନା ଏବଂ ଗୃହଗଣନା ତଥ୍ୟ ଆଧାରରେ ହିଁ ସରକାର ଆଗାମୀ ଦିନରେ ଲୋକହିତକର ଏବଂ ବିକାଶମୂଳକ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ। ଜିଲ୍ଲାର ସୁପରଭାଇଜର ଏବଂ ଏନୁମେରେଟରମାନେ ଗୃହଗଣନା କାର୍ଯ୍ୟ କରୁଛନ୍ତି ବୋଲି ଯାଜପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ କହିଛନ୍ତି।
