ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ସଫଳତା ହାସଲ

ଭୁବନେଶ୍ୱର, ୧୦/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ରାଜ୍ୟ ପୋଲିସ ମହିଳା ଓ ପୁରୁଷ ଫୁଟବଲ ଟିମର କ୍ରୀଡ଼ାବିତମାନେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିବା ଏହି ଚମ୍ପିୟାନସିପ୍‌ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା ପୋଲିସ ରନର୍ସଅପ ହୋଇଥିଲା।

ଏହି ସଫଳତା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। କ୍ରୀଡ଼ାବିତଙ୍କ ଏହି କୃତିତ୍ୱ ରାଜ୍ୟ ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।

ସେହିପରି ଓଡ଼ିଶା ପୋଲିସ  ପୁରୁଷ ଫୁଟବଲ ଦଳ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପୋଲିସର ଦୁଇଜଣ ଶ୍ରେଷ୍ଠ ଖେଳାଳି ସମଗ୍ର ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ହାସଲ କରି ଓଡ଼ିଶା ପୋଲିଶ ପାଇଁ ଗୌରବ ଆଣିଛନ୍ତି।

ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ବ୍ୟକ୍ତିଗତ ସଫଳତା:

  • ପ୍ୟାରୀ ଖାଖା (WC/475, UPD ଭୁବନେଶ୍ୱର): ମହିଳା ବର୍ଗରେ ଚମତ୍କାର ପ୍ରଦର୍ଶନ କରି ସମୁଦାୟ ୦୭ଟି ଗୋଲ୍ ସହ ପ୍ରତିଯୋଗିତାର ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ହାସଲ କରିଛନ୍ତି। ପ୍ୟାରୀ ବର୍ତ୍ତମାନ ଭାରତୀୟ ଜାତୀୟ ଫୁଟବଲ ଶିବିରରେ ପ୍ରତିନିଧିତ୍ୱ କରୁଛନ୍ତି।
  • ବିଜୟ ବେହେରା (C/327, ୧ମ ଆଇ.ଆର. ବାଟାଲିୟନ, କୋରାପୁଟ): ପୁରୁଷ ବର୍ଗରେ ଅସାଧାରଣ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ସମୁଦାୟ ୦୮ଟି ଗୋଲ୍ ସହ ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ବିଜୟୀ ହୋଇଛନ୍ତି।

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ,  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *