ଘଟଗାଁ :  ମା ‘ ତାରିଣୀଙ୍କ  ଚଇତି ପର୍ବ

ଦ୍ୱିତୀୟ ଦିବସରେ ଆଧ୍ୟାତ୍ମିକ ନୃତ୍ୟ , ଭଜନ ଓ ଲୋକନୃତ୍ୟ ପରିବେଷଣ

ଘଟଗାଁ, ୧୦/୦୪/୨୦୨୬ (ଓଡିଶା ସମାଚାର)- କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ‘ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତି ପର୍ବରେ ଘଟଗାଁ ଚଳଚଞ୍ଚଳ ହୋଇ ଉଠିଛି। ଆଜି ଶୁକ୍ରବାର ଦ୍ୱିତୀୟ ଦିବସରେ ମା ‘ ଙ୍କ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ପରମ୍ପରା ଅନୁଯାୟୀ ମା ‘ ଙ୍କ ମାଜଣା , ମଙ୍ଗଳ ଆଳତୀ , ଦେବୀ ସ୍ତୁତିପାଠ, ଚଣ୍ଡିପାଠ , ଭାଗବତ ପାଠ , ବଡ଼ ସିଂହାର ପୂଜା ଯଥାବିଧି କରା ଯାଇଥିଲା। ପର୍ବର ଦ୍ୱିତୀୟ ଦିବସ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦିବା କାର୍ଯ୍ୟକ୍ରମରେ କରଞ୍ଜିଆ ସଂଗୀତ ମହାବିଦ୍ୟାଳୟ  କଳାକାର ମାନେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ଏଥି ସହିତ ଶୈଳଭାମା ମହାପାତ୍ର ଓ ଗ୍ରୁପ ଭଜନ ଏବଂ ବୀଣା କେଶରୀ ନୃତ୍ୟ ମଞ୍ଜରୀ ଲୋକନୃତ୍ୟ ,ପିପିଲି ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ମା ‘ ତାରିଣୀ ଭଣ୍ଡାର ଭୁବନେଶ୍ୱର ସୌଜନ୍ୟରୁ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା । ସନ୍ଧ୍ୟାରେ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା କାର୍ଯ୍ୟକ୍ରମରେ ଗାୟକ ବିପିନ ବିହାରୀ ଦାଶ ଓ ସାଥି ଦାସ କାଠିଆ ପରିବେଷଣ କରିଥିଲେ।

ପ୍ରବଚକ କୃପାସିନ୍ଧୁ ଦାସ ମହାରାଜ ପ୍ରବଚନ ପ୍ରଦାନ କରିଥିଲେ। ରାତ୍ର କାର୍ଯ୍ୟକ୍ରମରେ ବାଦୀ ପାଲା ଅନୁଷ୍ଠିତ ହେବ । ଗାୟକ ଧିରେନ ମହାନ୍ତି ଓ ସଚ୍ଚିଦାନନ୍ଦ ଦାସ ସକାଳ 5 ଘ ପର୍ଯ୍ୟନ୍ତ ପାଲା ପରିବେଷଣ କରିବେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର , ଦେବୋତ୍ତର ଇନ୍ସପେକ୍ଟର ତ୍ରିଲୋଚନ ନାଏକ ଓ ମନ୍ଦିର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଧାର୍ମିକ ଏବଂ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ।

 

Leave a Reply

Your email address will not be published. Required fields are marked *