ବନାଞ୍ଚଳରେ ଦକ୍ଷତା ବିକାଶ ତାଲିମ୍

                                                          ବଲାଙ୍ଗିର ବନ୍ଧପଡ଼ା ବନଖଣ୍ଡର ୨୮ ଯୁବକଙ୍କୁ ନିଯୁକ୍ତି ପତ୍ର

ଭୁବନେଶ୍ୱର, ୧୦/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଦୁର୍ଗମ ତଥା ବନାଞ୍ଜଳରେ ବସବାସ କରୁଥିବା ପରିବାରର ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବନ ବିଭାଗ (କେନ୍ଦୁପତ୍ର)ର ମିଳିତ ପ୍ରୟାସରେ ଚାଲୁଥିବା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗିର ଜିଲ୍ଲାର ବନ୍ଧପଡ଼ା ବନଖଣ୍ଡର ୨୮ ଜଣ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିବା ପରେ, ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।

ସେମାନଙ୍କ ମଧ୍ୟରୁ ୧୯  ଜଣଙ୍କୁ କର୍ଣ୍ଣାଟକର ହୋସୁର ଠାରେ ଥିବା ପ୍ରତିଷ୍ଠିତ ଟିଭିଏସ ମୋଟର୍ସ କମ୍ପାନିରେ ଇଲେକ୍ଟ୍ରିସିଆନ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରେ କେତେକ ଘରୋଇ ସଂସ୍ଥାରେ ମଧ୍ୟ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି । ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ ଟ୍ରେଡ୍ ରେ ସଫଳତାର ସହ ୨ ମାସର ତାଲିମ୍ ଶେଷ କରିବା ପରେ, ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ତରଫରୁ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା । ଯୁବକମାନଙ୍କ ଏହି ସଫଳତାକୁ ନେଇ, ସେମାନଙ୍କ ପରିବାର ଲୋକେ ଖୁସି ପ୍ରକଟ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ, ୨୮ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନୀୟ କେନ୍ଦୁପତ୍ର ଶ୍ରମିକଙ୍କ ପରିବାରର କେତେକ ଯୁବକ ମଧ୍ୟ ସାମିଲ ହୋଇଥିଲେ।

ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓ.ଏସ୍.ଡି.ଏ) ଏବଂ ବନ ବିଭାଗ (କେନ୍ଦ୍ରୁପତ୍ର)ର ମିଳିତ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜଙ୍ଗଲ ଅଧ୍ୟୁଷିତ ଗ୍ରାମୀଣ ଅଞ୍ଚଳରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଗରିବ ତଥା କେନ୍ଦ୍ରୁପତ୍ର ଶ୍ରମିକଙ୍କ ପରିବାରର ବେରୋଜଗାର ଯୁବବର୍ଗଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ୨୦୨୬ ମସିହା ଜାନୁଆରୀ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ଭୂତିଆରବାହାଲଠାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଜରିଆରେ ଏକ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ ପରିସ୍ଥିତିରେ  ଶିଳ୍ପ ସଂସ୍ଥା ଗୁଡ଼ିକର ଚାହିଦା ମୁତାବକ, ଦକ୍ଷ ଏବଂ କୁଶଳୀ ମାନବସମ୍ୱଳ ପ୍ରସ୍ତୁତ କରିବା । ଏଥିପାଇଁ ଓ.ଏସ.ଡି.ଏ ଦ୍ୱାରା ଅଲ୍ ଇଣ୍ଡିଆ ସୋସାଇଟି ଫର୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ପ୍ୟୁଟର ଟେକ୍ନୋଲୋଜି (ଏ.ଆଇ.ଏସ୍.ଇ.ସି.ଟି)କୁ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଭାବେ ଦାୟିତ୍ୱ ଦିଆଯାଇଥିଲା । ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୮ ତାରିଖରେ ଏଠାରେ ସହକାରୀ ଇଲେକ୍ଟ୍ରିସିଆନ ଟ୍ରେଡରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ମାର୍ଚ୍ଚ ୨୪  ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ବଲାଙ୍ଗିର ଏବଂ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ (କେନ୍ଦୁପତ୍ର) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମୀଣ ତଥା ବନାଞ୍ଚଳର ବେରୋଜଗାର ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବନ ବିଭାଗ ତରଫରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି।

Leave a Reply

Your email address will not be published. Required fields are marked *