ଜଗତସିଂହପୁର ୦୬/୦୪/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ପୋଲିସ ହାଟ ବଜାର ନିକଟସ୍ଥ ଗାଲୁପଡା ଠାରେ ଏକ ତିନି ମହଲା କୋଠାରେ ଚାଲିଥିବା ମାନବ ଚାଲାଣ ରାକେଟ ଧରିବାରେ ସଫଳ ହୋଇଛି। ସେମାନଙ୍କ ବିରୁଦ୍ଧରେ ୨୯୬/୩.୪.୨୦୨୬ ନଂ କେସ କରାଯିବା ସହିତ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକ ସଂସ୍ଥାର ୫ ଜଣ ଗିରଫ ହେବା ସହିତ ଠକେଇର ଶିକାର ହୋଇଥିବା ୨୬ ଜଣଙ୍କୁ ଉଦ୍ଧାର କରାଯାଇଛି।
ସେମାନଙ୍କ ଠାରୁ ମୁଣ୍ଡ ପିଛା ୨୦ ହଜାର ଟଙ୍କା ଲେଖାଏଁ ୭ ଦିନିଆ ତାଲିମ କାର୍ଯ୍ୟ ପାଇଁ ଆଦାୟ କରୁଥିଲେ ଓ ସେମାନଙ୍କୁ ଟ୍ରେନିଂ ପୋଗ୍ରାମ ନାମରେ ଏକ ଠକେଇ ସଂସ୍ଥାର ସାମଗ୍ରୀକୁ ବିକ୍ରି କରିବା ପାଇଁ ମାର୍କେଟକୁ ପଠାଉଥିଲେ। ଏହି କ୍ରମରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଆଣିଥିଲେ। ଏହି ଯୁବକ ଜଣକ କୌଶଳ କ୍ରମେ ତାଙ୍କ ଭାଇଙ୍କୁ ଯୋଗାଯୋଗ କରିବା ପରେ ସେ ଏସପିଙ୍କୁ ଅବଗତ କରାଇଥିଲେ ଏବଂ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି, ଏସଡିପିଓ, ଜଗତସିଂହପୁର ଥାନାର ଅତିରିକ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।
ଉକ୍ତ ଟିମ ଏରସମା ଥାନା ଅଧିନ କୁଞ୍ଜକୋଠି ଗ୍ରାମର ମଦନ ଘନେଇ, ପଶ୍ଚିମବଙ୍ଗର ଶିବଶଙ୍କର ବେହେରା, ଶଶାଙ୍କର କରଣ, ସୋନପୁରର ପୁରନ୍ଦର ବାଗ ଓ ପଶ୍ଚିମବଙ୍ଗର ରାଜକାନ୍ତ ମାଇତି ୫ ଜଣ ଅଭିଯୁକ୍ତକୁ ଧରିଥିଲେ। ପୋଲିସ ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ମଦନ ଘନେଇ ନାମରେ ଜଗତସିଂହପୁର ଥାନାରେ ପୂର୍ବରୁ ୭୬୫/୧୭.୮.୨୦୨୪, ୮୫୯/୬.୯.୨୦୨୪ ନଂ କେସ ରହିଛି। କେସ ଥାଇ ମଧ୍ୟ ଏହି ଅପରାଧିକ ସଂସ୍ଥା କିଭଳି ଭାବେ ମାନବ ଚାଲାଣ ଓ ଠକେଇ କାର୍ଯ୍ୟକ୍ରମ ଚଳାଇଥିଲା ତାହା ଚର୍ଚ୍ଚାର ବିଷୟ ହୋଇଛି।
