କେନ୍ଦୁଝର,୦୬/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲାର ବରଷ୍ଠି ଗଣମାଧ୍ୟମ ପ୍ରତିନିଧି ବିଭୁତି ଭୂଷଣ ପଟ୍ଟନାୟକଙ୍କର ପରଲୋକ ଘଟିଛି । ତାଙ୍କର ମାଇନିଂ ରୋଡ ସ୍ଥିତ ମନୋଜ ମଞ୍ଜରୀ ଶିଶୁ ଭବନ ଲେନ ରେ ଥିବା ବାସଭବନରେ ୭୩ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ବୁଧବାର ରାତିପ୍ରାୟ ୧.୩୦ମିନିଟ୍ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେବାର କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ସେ ୧୯୭୨ ମସିହାରେ ବିଭିନ୍ନ ଖବରକାଗଜ ଓ ସମ୍ବାଦ ସରବରାହ ସଂସ୍ଥାରେ କାର୍ୟ୍ୟ କରି ଖବର ପ୍ରେରଣ କରୁଥିଲେ । ସେ ଜିଲା ପ୍ରେସ କ୍ଳବ,କେନ୍ଦୁଝରର ପ୍ରତିଷ୍ଠାତା ସଦସ୍ୟ ଥିବା ସହ ଏହାର ସଭାପତି ମଧ୍ୟ ରହିଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ,ଝିଅ ଓ ଭାଇ, ଭାଇବୋହୁ, ପୁତୁରା, ଝିଆରୀ ଓ ଭଣଜାମାନେ ଉପସ୍ଥିତ ଥିଲେ । ଧାଙ୍ଗରପଡା ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଛି ।
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟ୍ୱିଟରେ ବିଭୁତ ଭୁଷଣ ପଟ୍ଟନାୟକଙ୍କ ଆକସ୍ମିକ ବିୟୋଗରେ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିଛନ୍ତି । https://x.com/MohanMOdisha/status/1930484770615767332
ସେହିପରି ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ , ଉପ ନଗରପାଳ ବରଦା ପ୍ରସନ୍ନ ଦାସ ତାଙ୍କୁ ଶେଷ ଦର୍ଶନ କରିଥିବାବେଳେ ସାଂସଦ ଅନନ୍ତ ନାୟକ,ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଜିଲା ପ୍ରେସ କ୍ଲବ ଓ ସାମ୍ବାଦିକ ଙ୍କ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।
ଜିଲା ପ୍ରଶାସନ ପକ୍ଷରୁ ଜିଲା ପରିଷଦ ର ମୁଖ୍ୟନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେହିପରି ହିନ୍ଦୁସ୍ଥାନ ସମାଚାର ସମ୍ବାଦ ସରବରାହ ସଂସ୍ଥାର ପୂର୍ବତନ ନ୍ୟୁଜ ଏଡ଼ିଟର ତଥା ବର୍ତମାନ ଓଡ଼ିଶା ସମାଚାର ର ଏଡ଼ିଟର ଦୀପ୍ତିରଂଜନ କାନୁନଗୋ ବରିଷ୍ଠ ସାମ୍ବାଦିକ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି – ମୁଁ ହିନ୍ଦୁସ୍ଥାନ ସମାଚାର ର ନ୍ୟୁଜ ଏଡ଼ିଟର ଥିବା ବେଳେ ବିଭୁତି ବାବୁ କେନ୍ଦୁଝରର ର ପତ୍ରାକାର ଥିଲେ । ସେ ଜଣେ ଅତ୍ୟନ୍ତ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ମୁଁ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।