ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପରିଚାଳନା ପରିଷଦର ୩୬ତମ  ବୈଠକ ଅନୁଷ୍ଠିତ    

ଓଡିଶାରେ ଶିକ୍ଷାଗତ ଉତ୍କର୍ଷତା ଏବଂ ନୀତି ଆଧାରିତ ଗବେଷଣା ଅଗ୍ରଗତି ସଂପର୍କରେ ଆଲୋଚନା ଓ ପରାମର୍ଶ

ଭୁବନେଶ୍ୱର,୦୪/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର( ଏନସିଡିଏସ୍,ଓଡ଼ିଶା) ର ୩୬ତମ ପରିଚାଳନା ପରିଷଦ  ( ବୋର୍ଡ ଅଫ୍ ଗଭର୍ଣ୍ଣର୍ସ) ବୈଠକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ  ବୋର୍ଡର ଅଧ୍ୟକ୍ଷ ତଥା ଉନ୍ନୟନ ଆୟୁକ୍ତ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକ  ଏନସିଡିଏସ୍‌ର ପ୍ରତିଷ୍ଠାନଗତ ଦୃଷ୍ଟିକୋଣକୁ ଶକ୍ତିଶାଳୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଓଡ଼ିଶାର  ବିକାଶମୂଖୀ ପ୍ରାଥମିକତା କୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଏକ ଦୂରଦୃଷ୍ଟିମୂଳକ ସହମତି ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ  ଏନସିଡିଏସ୍  ପରିଚାଳନା ପରିଷଦର  ସଦସ୍ୟ ସଦସ୍ୟାଥିବା ବିଭନ୍ନ  ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ, ନୀତି ନିର୍ଦ୍ଧାରଣ କରୁଥିବା ସଂସ୍ଥାଗୁଡ଼ିକରୁ ବରିଷ୍ଠ ଏବଂ ଅଭିଜ୍ଞ ଶିକ୍ଷାବିତ୍  ସରକାରୀ ପଦାଧିକାରୀ ଓ ନୀତି ନିର୍ଦ୍ଧାରକମାନେ ଯୋଗଦେଇଥିଲେ ।   ଉପସ୍ଥିତ ଥିବା ସଦସ୍ୟ ସଦସ୍ୟାମାନଙ୍କ  ମଧ୍ୟରେ  ଏନସିଡିଏସ୍ ର ନିର୍ଦ୍ଦେଶକ  ତଥା  ପରିଷଦର  ଆବାହକ ଏବଂ  ସଚିବ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି,  ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ;   ପ୍ରଫେସର ବିଧୁ ଭୂଷଣ ମିଶ୍ର, କୁଳପତି, ସମ୍ବଲପୁର ବିଶ୍ୱବିଦ୍ୟାଳୟ; ପ୍ରଫେସର ଉଦୟ ଶଙ୍କର ମିଶ୍ର, ଇଣ୍ଟରନ୍ୟାସନାଲ  ଇନଷ୍ଟିଟ୍ୟୁଟ ଫର ପପୁଲେସନ ସାଇନ୍ସେସ୍, ମୁମ୍ବାଇ; ପ୍ରଫେସର ନବନୀତା ରଥ, ପୂର୍ବତନ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ; ପ୍ରଫେସର ସଂଘମିତ୍ରା ଶୀଳ ଆଚାର୍ଯ୍ୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ; ପ୍ରଫେସର ଉମାକାନ୍ତ ଦାଶ, କୁଳପତି, ଗୋଖଲେ ଇନଷ୍ଟିଟ୍ୟୁଟ ଅଫ ପଲିଟିକ୍ସ ଆଣ୍ଡ ଇକନୋମିକ୍ସ, ପୁଣେ; ଡଃ.ନିତିନ କୁମାର, ଆଇସିଏସଏସଆର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର; ଶ୍ରୀ ସମ୍ବିତ ତ୍ରିପାଠୀ, ସିଏମଡି, ଲାଇଭଲିହୁଡ୍ ଆଲ୍ଟର୍ନେଟିଭ୍, ଭୁବନେଶ୍ୱର ଏବଂ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର , ଅର୍ଥ ବିଭାଗର ପ୍ରତିନିଧି ସହିତ ଏନସିଡିଏସ୍‌ର  ସମ୍ମାନନୀୟ ଅଧ୍ୟାପକମାନେ ଯୋଗଦେଇଥିଲେ ।

ଅନୁଷ୍ଠିତ ବୋର୍ଡ ବୈଠକରେ  ଏନସିଡିଏସ୍ ର ପ୍ରତିଷ୍ଠାନଗତ ଢାଞ୍ଚାକୁ ସୁଦୃଢ କରିବା, ଗବେଷଣାର ଗୁଣମାନ ଓ ପ୍ରଭାବକୁ ବୃଦ୍ଧି କରିବା ସହିତ ଜାତୀୟ  ଏବଂ ଆନ୍ତର୍ଜାତୀୟ ପ୍ରମୁଖ ସଂସ୍ଥାମାନଙ୍କ ସହ ଏହାର  ମିଳିତ ସହଯୋଗକୁ ବ୍ୟାପକ  କରିବା ବିଷୟରେ ପୁଙ୍ଖାନୁପୁଙ୍ଖ  ଆଲୋଚନା ହୋଇଥିଲା । ଓଡିଶାର ବିଶେଷକରି  ସମାବେଶୀ,  ଲିଙ୍ଗଗତ  ସମାନତା, ଜୀବିକା ବୃଦ୍ଧି ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ବିକାଶମୂଖୀ ପ୍ରାଥମିକତାକୁ  ସମନ୍ୱିତ କରି ଆନ୍ତଃ  ବିଭାଗୀୟ  ଏବଂ ନୀତି ଆଧାରିତ  ଗବେଷଣାକୁ ପ୍ରୋତ୍ସାହନ ଦେବାକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ପରିଚାଳନା ପରିଷଦ ବୈଠକରେ  ମଧ୍ୟ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା  ସରକାରଙ୍କ ଦ୍ୱାରା ନିଆଯାଇଥିବା  ସକ୍ରିୟ ଏବଂ ଦୂରଦୃଷ୍ଟିସମ୍ପନ୍ନ   ପଦକ୍ଷେପଗୁଡ଼ିକ ପ୍ରଶଂସନୀୟ ବୋଲି ପ୍ରକାଶ କରାଯାଇଥିଲା ।   ଉଚ୍ଚ ଶିକ୍ଷା, ଗବେଷଣା ଏବଂ ନବୋନ୍ମେଷ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର  ବିନିଯୋଗ,  ଓଡ଼ିଶାକୁ  ଏକ ଉଦୀୟମାନ ଶିକ୍ଷାଗତ ଉତ୍କର୍ଷତା ଏବଂ ଜ୍ଞାନ ଆଧାରିତ ବିକାଶ କେନ୍ଦ୍ର ଭାବେ ସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରୁଥିବା  ସ୍ୱୀକାର  କରାଯାଇଥିଲା ।

ବୈଠକରେ  ଉଦବୋଧନ ଦେଇ  ଉନ୍ନୟନ କମିଶନର ତଥା ବୋର୍ଡର  ଅଧ୍ୟକ୍ଷ ଶ୍ରୀ ସିଂ  ଏନସିଡିଏସରେ ଶିକ୍ଷା ଓ ଗବେଷଣାର ବିକାଶ  ପାଇଁ   ସମସ୍ତ ସଦସ୍ୟ ସଦସ୍ୟାଙ୍କ  ଅବଦାନକୁ ପ୍ରଶଂସା କରିଥିଲେ ଏବଂ ସଂପ୍ରତି  ସାମାଜିକ-ଆର୍ଥିକ ଆହ୍ୱାନଗୁଡ଼ିକୁ ସଫଳତାର ସହ  ମୁକାବିଲା କରିବା ପାଇଁ ଶିକ୍ଷାଜଗତ, ସରକାର ଓ ନାଗରିକ ସମାଜ ପକ୍ଷରୁ  ସୁଦୃଢ  ପ୍ରୟାସର  ଆବଶ୍ୟକତା ସଂପର୍କରେ ସେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏନସିଡିଏସ୍‌କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ଉନ୍ନତ ଗବେଷଣା, ନୀତି ଆଧାରିତ  ଏବଂ ଦକ୍ଷତା  ବିକାଶର ଏକ ପ୍ରମୁଖ   କେନ୍ଦ୍ର ଭାବେ ଏହାକୁ  ଆହୁରି ସୁଦୃଢ କରାଯିବାର ସଂକଳ୍ପ ନେଇ ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଥିଲା ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *