ନୂଆ-ଓ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବ

ଯାଜପୁର, ୦୩/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ବିରଜା ମହିଳା ଡ଼ିଗ୍ରୀ କଲେଜ ପରିସରରେ ୨୦୨୩ ନଭେମ୍ବର ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ୨୦୨୩ ଡିସେମ୍ୱର ୩୦ ତା ରିଖ ଦିନ ଉଦ୍ୟାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ସୁକାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ଉପଦେଷ୍ଟା କର୍ଣ୍ଣାଟକେଶରୀ ଦାସ, ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକକୁମାର ବେହୁରିଆ, ସମ୍ମାନିତ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ ଓ ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ +୨ର ଅଧ୍ୟକ୍ଷା ଜ୍ୟୋତ୍ସାରାଣୀ ସାହୁ ପ୍ରମୁଖ ଯୋଗଦେଇ ସରକାର ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବିଭାଗରେ ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବାର ସୁଯୋଗ ଦେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅତିଥିବୃନ୍ଦ ପ୍ରଦୀପପ୍ରଜ୍ଜଳନ କରିବା ପରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତଗାନ କରିଥିଲେ । ଆର୍ଯ୍ୟାନନ୍ଦିନି ସାମଲ, ସ୍ୱୟଂପ୍ରଭା ମିଶ୍ର ସ୍ୱାଗତ ନୃତ୍ୟ ପ୍ରଦର୍ଶିତ କରିଥିଲେ । ନୋଡ଼ାଲ ଅଫିସର ଅଧ୍ୟାପକ ବିଶ୍ୱରଞ୍ଜନ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ନୋଡ଼ାଲ ଅଫିସର ଡ଼କ୍ଟର ମଧୁଲିତା ମହାନ୍ତି (କ୍ରୀଡ଼ା), ଅନୀତା ମହାପାତ୍ର (ସାଂସ୍କୃତିକ) ବିବରଣୀ ପାଠ କରିଥିଲେ । ନୋଡ଼ାଲ ଅଫିସର (ସାମାଜିକ) ସୁଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ଏବଂ ଅଂଶ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ଅଧ୍ୟାପକ ତରଣୀସେନ୍ ଜେନା, ବିଶ୍ୱଜିତ୍ ନାୟକ, ପର୍ଶୁରାମ ନାୟକ, ଅଧ୍ୟାପିକା କନକ ମଞ୍ଜରୀ ପଟ୍ଟନାୟକ, ଛନ୍ଦା ରାୟ, ଐଶ୍ୱର୍ଯ୍ୟା ରାଉତ, ଅମ୍ବିକା କର, ମିଲି ମହାପାତ୍ର, ଗ୍ରନ୍ଥାଗାରିକ ତ୍ରିଲୋଚନ ପଣ୍ଡା, ମମତାରାଣୀ ପଣ୍ଡା, ରାଜେନ୍ଦ୍ର କୁମାର ପରିଡ଼ା, ମଧୁସୂଦନ ବେହେରା, ମାନଗୋବିନ୍ଦ ଦାସ, ଦୁଲେଇ ନାଏକ ଉକ୍ତ ଉତ୍ସବକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *