ଭୁବନେଶ୍ୱର,୦୩/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-

ଜୟ ଜଗନ୍ନାଥ !
ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ପ୍ରଣାମ ଜଣାଇ, ଆଜିର ଏହି ଗୌରବମୟ ‘ଓଡ଼ିଆ ଅସ୍ମିତା ସମ୍ମିଳନୀ’ରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ନିୟୁଜ୍ ୧୮ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି।
ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆମ ସଂସ୍କୃତି, ଆମ ପରମ୍ପରା ଏବଂ ଆମ ବରପୁତ୍ରମାନଙ୍କ ତ୍ୟାଗ ଓ ତପସ୍ୟା ହିଁ ଆମ ଓଡିଆ ଅସ୍ମିତାର ମୂଳଦୁଆ। ବର୍ତ୍ତମାନ ସମଗ୍ର ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଥିବା ସମୟରେ, ଆମ ଭାଷା ଓ ଐତିହ୍ୟକୁ ନେଇ ଏଭଳି ଏକ ବୈଚାରିକ ମଞ୍ଚ ପ୍ରସ୍ତୁତ କରିବା ବାସ୍ତବରେ ପ୍ରଶଂସନୀୟ।
ଓଡ଼ିଆ ଅସ୍ମିତା କେବଳ ଓଡିଆ ଅଭିଧାନର ଦୁଇଟି ଶବ୍ଦ ନୁହେଁ, ବରଂ ଏହା ଆମ ଓଡିଆ ସ୍ୱାଭିମାନର ପ୍ରତୀକ, ଆମ ଜାତିର ପରିଚୟ, ଆମ ପରମ୍ପରାର ଗୌରବ ଏବଂ ଆମ ସଂସ୍କୃତିର ମୂଳଦୁଆ । ଏହା ଆଗାମୀ ପିଢ଼ିକୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ।
ଆମର ପରିଚୟ ଆମ ଭାଷାରେ ନିହିତ । ଓଡ଼ିଆ ଭାଷା ବିଶ୍ୱର ଅନ୍ୟତମ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭାଷା । ଏହି ଭାଷାକୁ ସୁରକ୍ଷିତ ରଖିଲେ ହିଁ ଆମର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ସୁରକ୍ଷିତ ରହିପାରିବ ବୋଲି ମୋର ଦୃଢ ବିଶ୍ୱାସ ।
ଆନନ୍ଦର କଥା, ଓଡିଶାରେ ଏବେ ଅସ୍ମିତା ଏକ ଜନ ଆନ୍ଦୋଳନର ରୂପ ନେଇଛି। ଓଡିଆ ଭାଷା, ସଂସ୍କୃତି, ପରମ୍ପରା ଓ ଓଡିଆ ପରିଚୟକୁ ସମୃଦ୍ଧ କରିଥିବା ବରପୁତ୍ରମାନଙ୍କ ଜୀବନୀ ଉପରେ ଅଧିକ ଚର୍ଚ୍ଚା ହେଉଛି। ସେମାନଙ୍କ ଜନ୍ମସ୍ଥାନର ବିକାଶ ହେଉଛି, ପ୍ରତିମୂର୍ତ୍ତି ସ୍ଥାପନ ହେଉଛି। ଓଡିଆ ଭାଷା, ସାହିତ୍ୟ, ପୋଷାକ ଓ ପରମ୍ପରାକୁ ଆମ ନଜର ପୁଣି ଫେରିଛି।
ଆମେ ଏଇ କିଛି ଦିନ ତଳେ ପଖାଳ ପରବ ମଧ୍ୟ ପାଳନ କରିଛୁ । ଆମ ପଖାଳ ପରବ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି । ଏହା ବାସ୍ତବରେ ଖୁବ୍ ଆନନ୍ଦର କଥା।
ଅପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସାଧାରଣ ଲୋକ ବିଶେଷକରି ଯୁବବର୍ଗ ଜୋର୍ସୋର୍ରେ ସାମିଲ ହେଉଛନ୍ତି। ମୁଁ ନ୍ୟୁଜ ୧୮ ଓଡ଼ିଆକୁ ଏଭଳି ଏକ ମହତ ପ୍ରୟାସ ପାଇଁ ପୁନର୍ବାର ଧନ୍ୟବାଦ ଜଣାଉଛି । ମୋ ମତରେ, ଗଣମାଧ୍ୟମର ଦାୟିତ୍ୱ କେବଳ ଖବର ପରିବେଷଣ ନୁହେଁ, ବରଂ ସମାଜରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା । ଆପଣମାନେ ତାହା ନିଷ୍ଠାର ସହ କରୁଛନ୍ତି ।
ଆଜିର କାର୍ଯ୍ୟକ୍ରମର ନାଁ ହେଉଛି ‘ଓଡିଆ ଅସ୍ମିତା ସମ୍ମିଳନୀ – ୯୦ ବର୍ଷର ଓଡିଶା’। ଏହା ପ୍ରତିପାଦିତ କରୁଛି ଯେ, ଓଡିଶା ନିଜ ଅସ୍ମିତାକୁ ଭାରତର ଯେ କୌଣସି ରାଜ୍ୟମାନଙ୍କ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖିଆସୁଅଛି।
କାରଣ ଓଡିଶା ହିଁ ପ୍ରଥମ ରାଜ୍ୟ ଯାହାକି ଭାଷା ଭିତ୍ତିରେ ଗଠନ ହୋଇଥିଲା। ତେଣୁ, ଭାଷା ହେଉଛି ଆମ ଓଡିଆ ଜାତିର ଆତ୍ମା। ବିନା ଭାଷାରେ ଆମର କୌଣସି ପରିଚୟ ନାହିଁ।
ଯେତେବେଳେ ସମ୍ପୂର୍ଣ୍ଣ ଭାରତ ବର୍ଷ ବ୍ରିଟିଶ ମାନଙ୍କ ଦ୍ବାରା କବଳିତ ଥିଲା, ସେତେବେଳେ ଓଡିଆ ହିଁ ଏକମାତ୍ର ଜାତି ଯିଏ କି ନିଜ ଭାଷା ପାଇଁ, ନିଜ ସ୍ଵତନ୍ତ୍ର ପରିଚୟ ପାଇଁ ଆନ୍ଦୋଳନ କରିଥିଲା।
ରାଜା ମୁକୁନ୍ଦ ଦେବଙ୍କ ପରେ ଯେଉଁ ଓଡିଶା ନିଜର ପରିଚୟ ହରାଇ ବସିଥିଲା, ଯେତେବେଳେ ୧୮୦୩ ପରେ ନିଜ ସଂସ୍କୃତି ଓ ଭାଷାର ଅସ୍ତିତ୍ଵକୁ ହରାଇ ବସିବାର ଆଶଙ୍କା ଦେଖା ଦେଇଥିଲା ।
ସେତେବେଳ ଓଡିଶାର ବରେଣ୍ୟ ବରପୁତ୍ର ମାନେ ତ୍ୟାଗ ଓ ବଳିଦାନ ଦେଇ କେବଳ ଓଡିଶାକୁ ଏକ ସ୍ଵତନ୍ତ୍ର ଭୌଗଳିକ ପରିଚୟ ଦେଇ ନ ଥିଲେ, ଏହା ଦ୍ଵାରା ନିଶ୍ଚିହ୍ନ ପ୍ରାୟ ଓଡିଆ ଭାଷା, ଓଡିଆ ସଂସ୍କୃତି, ଓଡିଆ ପରମ୍ପରାକୁ ବଞ୍ଚାଇ ରଖିବାରେ ସମର୍ଥ ହୋଇଥିଲେ। ସେମାନଙ୍କ ମିଳିତ ଉଦ୍ୟମରେ ଗଠିତ ଓଡିଶା, ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ନିଜ ସ୍ବତନ୍ତ୍ରତା ଆଜି ମଧ୍ୟ ବଜାୟ ରଖିଛି ।
ଓଡିଶା ସଭ୍ୟତା ଓ ସଂସ୍କୃତି ଅଖଣ୍ଡ ଭାରତବର୍ଷରେ ଏକ ଅନନ୍ୟ ସଭ୍ୟତା, ଯାହା ହଜାର ହଜାର ବର୍ଷ ଧରି ବିଭିନ୍ନ ଝଡଝଞ୍ଜା ସତ୍ତ୍ୱେ ନିଜର ପରିଚୟ ରକ୍ଷା କରିବାରେ ସମର୍ଥ ହୋଇଅଛି।
ଏଣୁ, ଭାରତର ପ୍ରାଚୀନ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଅନ୍ୟତମ ଗ୍ରନ୍ଥ କପିଳ ସଂହିତାରେ କୁହାଯାଇଛି ଯେ,
ବର୍ଷାଣାଂ ଭାରତଂ ଶ୍ରେଷ୍ଠଂ,
ଦେଶାନାମ୍ ଉତ୍କଳଃ ସ୍ମୃତଃ।
ଉତ୍କଳସ୍ୟ ସମୋ ଦେଶୋ,
ଦେଶ ନାସ୍ତି ମହୀତଳେ॥”
ଏହାର ଅର୍ଥ ସମସ୍ତ ଦେଶମଧ୍ୟରେ ଭାରତ ଶ୍ରେଷ୍ଠ, ଏବଂ ଭାରତରେ ଉତ୍କଳ ବା ଓଡ଼ିଶା ପ୍ରଦେଶ ଶ୍ରେଷ୍ଠ। ଏହି ଶ୍ରେଷ୍ଠତ୍ଵକୁ ବଜାୟ ରଖିବା ପାଇଁ ଉତ୍କଳ ଗୌରବ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ବରପୁତ୍ର ମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।
“ଓଡିଆ ଅସ୍ମିତା”ର ଭାବାବେଗ ପ୍ରଥମେ ୧୮୭୮ ମସିହାରେ ସୃଷ୍ଟି ହୋଇଥିଲା। ଏହାକୁ ଓଡ଼ିଆ ଜାତିର ବରପୁତ୍ରମାନେ ଏକ ମଙ୍ଗଳକାରିଣୀ ଅସ୍ତ୍ର ରୂପେ ପ୍ରଥମେ ବ୍ୟବହାର କରିଥିଲେ ।
ନୂଆ ହୋଇ ପଶ୍ଚିମବଙ୍ଗରୁ ବି.ଏ ପାସ୍ କରି ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ଚାକିରୀ କରିଥିବା କାନ୍ତିଲାଲ୍ ଭଟ୍ଟାଚାର୍ଯ୍ୟ ଯେତେବେଳେ ‘ଓଡ଼ିଆ ଏକ୍ଟା ଭାଷା ନଏ’ ବୋଲି ପ୍ରବନ୍ଧ ଲେଖିଲେ, ସେତେବେଳେ ବାଲେଶ୍ୱର ସମେତ ସାରା ଓଡିଶାର ଜନମାନସ କ୍ଷୁବ୍ଧ ହୋଇଥିଲେ ।
ବ୍ୟାସକବି ଫକୀର ମୋହନ ତତ୍କାଳୀନ ବାଲେଶ୍ୱର କଲେକ୍ଟର ଜନ୍ ବୀମ୍ସ୍ଙ୍କୁ ଏକଥା କହିବାରୁ ବୀମ୍ସ୍ ସାହେବ ଓଡ଼ିଆ ଭାଷା କିପରି ଏକ ସ୍ୱତନ୍ତ୍ର ଭାଷା, ତାହା ଲେଖି ସରକାରଙ୍କୁ ପଠାଇଥିଲେ। ଏହାପରେ ଓଡ଼ିଶାର ସ୍କୁଲ ଗୁଡିକରେ ଭାଷା ପୁନର୍ବାର ସଂସ୍ଥାପିତ ହୋଇଥିଲା ।
ଠିକ୍ ସେହିପରି ତତ୍କାଳୀନ ବ୍ରିଟିଶ ସରକାର ସମ୍ବଲପୁର ସମେତ ପଶ୍ଚିମ ଓଡିଶାକୁ କେନ୍ଦ୍ରୀୟ ପ୍ରୋଭିନ୍ସରେ ସମ୍ମିଳିତ କରିବା ପରେ ୧୮୯୫ ମସିହାରେ ଓଡିଆ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀକୁ ଅଦାଲତ, କୋର୍ଟ କଚେରୀ, ସରକାରୀ ଅଫିସ, ସ୍କୁଲରେ ବାଧ୍ୟତାମୂଳକ କରିଥିଲେ।
ଏହି ନିଷ୍ପତ୍ତି ବିରୁଦ୍ଧରେ ସମଗ୍ର ପଶ୍ଚିମ ଓଡିଶାରେ ପ୍ରବଳ ଜନ ଅସନ୍ତୋଷ ଆରମ୍ଭ ହୋଇଥିଲା ଯାହା ପରେ ଆନ୍ଦୋଳନ ଓ ବିକ୍ଷୋଭର ରୂପ ନେଇଥିଲା। ବ୍ରିଟିଶ ସଂସଦ ପର୍ଯ୍ୟନ୍ତ ଏହି କଥା ଗଲା।
ପ୍ରାୟ ଦଶ ବର୍ଷର ଆନ୍ଦୋଳନ ଓ ସଂଘର୍ଷ ଫଳରେ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରଯାଇଥିଲା ଏବଂ ପୁନଶ୍ଚ ଓଡିଆକୁ ସରକାରୀ ଭାଷା ତଥା ବିଦ୍ୟାଳୟରେ ଓଡିଆ ଭାଷାରେ ପଢାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଇତିହାସରେ ଏହି ଦୁଇଟି ଘଟଣାକୁ ଓଡିଆ ଅସ୍ମିତାକୁ ରକ୍ଷା କରିବା ପାଇଁ ପ୍ରଥମ ଲଢେଇ ଭାବେ ଅଭିହିତ କରିହେବ। ଏହା ପରେ ସବୁଠାରୁ ବଡ ଆନ୍ଦୋଳନ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ ମଞ୍ଚରୁ।
ଆପଣମାନେ ସମସ୍ତେ ସ୍ଵତନ୍ତ୍ର ଓଡିଶା ଆନ୍ଦୋଳନର ଇତିହାସ ବିଷୟରେ ଅବଗତ ଅଛନ୍ତି। ମୁଁ ତାକୁ ପୁନରାବୃତି କରୁ ନାହିଁ। କିନ୍ତୁ, ଏହି ଆନ୍ଦୋଳନରେ ଆଉ ଗୋଟିଏ ଦିଗ ଅଛି। ତାହାହେଲା, ସ୍ଵତନ୍ତ୍ର ପ୍ରଦେଶ ସହିତ ଓଡିଆ ଭାଷା, ସଂସ୍କୃତିକୁ ବଞ୍ଚାଇ ରଖିବାର ଉଦ୍ୟମ।
୧୮୦୩ ପରେ ବ୍ରିଟିଶ ସରକାର ଓଡିଶାକୁ ଖଣ୍ଡ ବିଖଣ୍ଡିତ କରି ପଡୋଶୀ ରାଜ୍ୟମାନଙ୍କରେ ସମ୍ମିଳିତ କରିବା ପରେ ଓଡିଆ ଭାଷା ପ୍ରତି ବିପଦ ଦେଖାଯାଇଥିଲା। ତେଣୁ, ଓଡିଆ ଭାଷା ଓ ସାହିତ୍ଯକୁ ବଞ୍ଚାଇ ରଖିବା ପାଇଁ ସେ ସମୟରେ ଓଡିଶାର ସାରସ୍ଵତ ସାଧକମାନେ ଲେଖନୀ ଚାଳନା କରିଥିଲେ।
କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରି ଶଙ୍କର ରାୟ, ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠଙ୍କ ପରି ମହାନ କବି ଓ ଲେଖକମାନେ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ। ସ୍ବତନ୍ତ୍ର ଓଡିଶା ଗଠନରେ ଏହି ମହାନ ସାହିତ୍ୟିକ ମାନଙ୍କ ଅବଦାନ ଅତୁଳନୀୟ। ଏପରିକି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋବବନ୍ଧୁ ଦାସ ନିଜ ଦେଶାତ୍ମବୋଧକ ଲେଖା ମାଧ୍ୟମରେ ଓଡିଆ ଅସ୍ମିତାର ବହ୍ନିକୁ ଓଡିଶାବାସୀଙ୍କ ମନରେ ପ୍ରଜ୍ଜ୍ଵଳିତ କରିଥିଲେ। ଏମାନେ ସମସ୍ତେ ଆମର ନମସ୍ୟ।
ଅନେକେ ପଚାରନ୍ତି, ‘ଓଡ଼ିଆ ଅସ୍ମିତା’ କାହିଁକି ଏକ ପ୍ରସଙ୍ଗ ହେଲା ? ଜଣେ ସାଧାରଣ ଓଡ଼ିଆ ଭାବେ ମୋ ପାଇଁ ଏହାର ସଂଜ୍ଞା ସ୍ପଷ୍ଟ— “ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ଏବଂ ଓଡ଼ିଶା ହିଁ ମୋର ପରିଚୟ।”
୨୦୨୪ ମସିହା ଓଡ଼ିଶା ପାଇଁ ଏକ ପରିବର୍ତ୍ତନର ବର୍ଷ । ଗତ ସାଧାରଣ ନିର୍ବାଚନରେ ଓଡ଼ିଆ ଅସ୍ମିତା, ଲୋକଙ୍କୁ ଆନ୍ଦୋଳିତ କରିବାର ମୂଳ କାରଣ ଥିଲା—ଆତ୍ମସମ୍ମାନ, ଆତ୍ମସମ୍ମାନ ଓ ଆତ୍ମସମ୍ମାନ। ଜଣେ ଓଡ଼ିଆ ଚାହେଁ, ତାଙ୍କ ଶାସନ ବ୍ୟବସ୍ଥାରେ ନିଜ ଭାଷା ଓ ଭାବକୁ ବୁଝୁଥିବା ବ୍ୟକ୍ତି ଓଡ଼ିଶାର ଦାୟିତ୍ବ ନିଅନ୍ତୁ ।
ଯେତେବେଳେ ପ୍ରଶାସନକୁ ଅଣ-ଓଡ଼ିଆ ଅଧିକାରୀଙ୍କ ଦ୍ୱାରା ‘ଆଉଟସୋର୍ସ’ କରାଗଲା, ସେତେବେଳେ ଓଡ଼ିଆ ଜନମାନସରେ କ୍ଷୋଭ ସୃଷ୍ଟି ହେବା ସ୍ୱାଭାବିକ ଥିଲା। ଏହି ଜନାଦେଶ ସେହି ଅସନ୍ତୋଷର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା ।
ଭାରତ ଇତିହାସରେ ଓଡ଼ିଶା ହିଁ ଏପରି ରାଜ୍ୟ ଯିଏ ବୀରତା, ଶାନ୍ତି, ମୈତ୍ରୀ, ଉତ୍କର୍ଷତା ଏବଂ ଏକତାର ବାର୍ତ୍ତା ଏକାସାଙ୍ଗରେ ସାରା ବିଶ୍ୱକୁ ଉପହାର ଦେଇଛି।
ଏ ମାଟି ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଦେଇଛି । ଏ ମାଟିର ବୀରପୁତ୍ର ଐର ଖାରବେଳ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି କଳିଙ୍ଗର ପ୍ରତିଷ୍ଠା ପୁନଃ ସ୍ଥାପନ କରିଥିଲେ।
ଏ ମାଟି ଜୟ ଜଗନ୍ନାଥ ଧ୍ୱନିରେ ସବୁ ଧର୍ମକୁ ଏକ୍ କରିଦେଇଛି। ଆଉ ଏ ମାଟି ମଧ୍ୟ ବନ୍ଦେ ମାତରମ୍ ନାରାରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛି । ମୟୂରଭଞ୍ଜ ଠାରୁ ଆରମ୍ଭ କରି ମାଲକାନ୍ଗିରି ପର୍ଯ୍ୟନ୍ତ ସବୁଠି ବୀରତ୍ୱର ନିଦର୍ଶନ ଦେଖିବାକୁ ମିଳିଛି, ଆଉ ଝାରସୁଗୁଡା ଠାରୁ ଆରମ୍ଭ କରି ଜଗତ୍ସିଂହପୁର ପର୍ଯ୍ୟନ୍ତ ସବୁଠି ଏକତାର ବାର୍ତ୍ତା ଖେଳି ଯାଇଛି ।
ଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ଅର୍ଥନୈତିକ ବିକାଶ ଆମର ଅସ୍ମିତାର ପରିଚୟକୁ ସୁଦୃଢ କରେ। ସ୍ବାଧୀନତା ପରେ ଦେଶରେ ବିକାଶର ଗତି ଧିରେଧିରେ ଆଗକୁ ବଢୁଥିଲା। ଜାତୀୟସ୍ତରରେ ମଧ୍ୟ ବିକାଶର ଗତି କମ୍ଥିଲା।
୯୦ ଦଶକ ପରଠାରୁ ଭାରତୀୟ ନେତୃତ୍ବ ବାସ୍ତବବାଦୀ ଅର୍ଥନୈତିକ ନୀତି ଅବଲମ୍ବନ କରିବା ପରଠାରୁ ଦେଶର ଅର୍ଥନୈତିକ ପ୍ରଗତି ଧିରେ ଧିରେ ବୃଦ୍ଧିପ୍ରାପ୍ତ ହେଲା। ୧୯୯୯ ମସିହା ଠାରୁ ବାଜପେୟୀଜୀଙ୍କ ନେତୃତ୍ବରେ ଅଭିବୃଦ୍ଧି ବ୍ୟାପକ ହେଲା କିନ୍ତୁ, ପରବର୍ତ୍ତୀ ସମୟରେ ତାହା ଉତ୍ଥାନ ପତନ ଦେଇ ଗତିକଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ଗ୍ରହଣ କରିବା ପରେ ବିକାଶ ସବୁ କ୍ଷେତ୍ରକୁ ଛୁଇଁଛି।
ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିଛି। ଦେଶର ସାଧାରଣ ଜନତା ଆଉ ମୌଳିକ ଆବଶ୍ୟକତା ପାଇଁ ଚିନ୍ତିତ ହେଉନାହାନ୍ତି। କେବଳ ଅର୍ଥନୈତିକ ଅଭିବୃଦ୍ଧି କଥା ଭାବୁଛନ୍ତି। ଏହା ଏକ ବିରାଟ ପରିବର୍ତ୍ତନ।
ଆମ ଓଡିଶାରେ, ବିଗତ ସରକାରରେ ବିକାଶର ଗତି ମନ୍ଥର ଥିଲା। କିନ୍ତୁ, ତାହା ଯେତେ ଦୁଃଖର ବିଷୟ ନୁହେଁ, ଓଡିଆ ଭାଷା ସାହିତ୍ୟର ଆଦର କମିକମି ଯିବା ଥିଲା, ଅତ୍ୟନ୍ତ ଦୁଃଖର ବିଷୟ। ସରକାର ନିଜେ ଯେତେବେଳେ ଭାଷାକୁ ଗୁରୁତ୍ବ ଦେବେନାହିଁ, ସେତେବେଳେ ଭାଷାର ଅଧୋପତନ ନିଶ୍ଚିତ। ଏହାହିଁ ଥିଲା, ଅନେକ ଭାଷାପ୍ରେମୀ, ସାହିତ୍ୟ ପ୍ରେମୀ ଓ ଅସ୍ମିତା ପ୍ରେମୀ ବ୍ୟକ୍ତିମାନଙ୍କ କ୍ଷୋଭର କାରଣ।
ଅସ୍ମିତାର ଅର୍ଥନୁହେଁ ଯେ, ଆମେ ଅନ୍ୟ କୌଣସି ଭାଷାର ବିରୋଧୀ। ଇଂରାଜୀ ଭାଷା ଏକ ବିଶ୍ବସ୍ତରୀୟ ଭାଷା। ବିଜ୍ଞାନ, ଟେକ୍ନୋଲୋଜି ଓ ଶିଳ୍ପର ଭାଷା। ଏହା ଏକ ସେତୁ ଭଳି ବିଶ୍ବସ୍ତରରେ ଆମକୁ ଯୋଡି ରଖିବ।
କିନ୍ତୁ, ଏହା ଆମ ବିକାଶର ମୁଖ୍ୟରାସ୍ତା ହୋଇପାରିବ ନାହିଁ। ଆପଣ ବିଶ୍ବରେ ଯେତେ ସଭ୍ୟତା ଦେଖନ୍ତୁ, ଗ୍ରୀକ୍ ସଭ୍ୟତା ହେଉ ବା ପର୍ସୀଆନ୍ କିମ୍ବା ଆମର ପ୍ରାଚୀନ ଭାରତୀୟ ସଭ୍ୟତା। ଏ ସବୁଥିରେ ମୂଳ ଭୂମିକା ଗ୍ରହଣ କରିଛି ଭାଷା ଓ ସାହିତ୍ୟ। ଆମର ବେଦ, ମହାଭାରତ, ରାମାୟଣ ଓ ଉପନିଷଦ ପରି ପ୍ରାଚୀନ ଗ୍ରନ୍ଥ ଗୁଡିକ ଆଜିପର୍ଯ୍ୟନ୍ତ ଆମର ମୌଳିକ ଜ୍ଞାନ, ତତ୍ତ୍ବ ଓ ଦର୍ଶନର ମୌଳିକ ପ୍ରେରଣା ହୋଇ ରହିଆସିଛି।
ଯଦି ଏଭଳି ଗ୍ରନ୍ଥ ନଥାନ୍ତା, ତେବେ ଆମେ କେବେ ଆମ ପ୍ରାଚୀନ ଭାରତର ସଭ୍ୟତାକୁ ନେଇ ଗର୍ବ କରିପାରିଥାନ୍ତୁ କି? ଏହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଅନୁଚିନ୍ତାର ବିଷୟ।
ଆମ ସରକାର କ୍ଷମତାକୁ ଆସିବା ପରେ “ଓଡ଼ିଆ ଅସ୍ମିତା”ର ପୁନଃ ସଂସ୍ଥାପନ ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଆମ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ସଫଳତାର ସହ ଜାରି ରହିଛି । ଏହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ଥିଲା । ଶ୍ରୀମନ୍ଦିରର ସୁରକ୍ଷା ଏବଂ ସମ୍ମାନ ହିଁ ଓଡ଼ିଆ ଅସ୍ମିତାର ଶ୍ରେଷ୍ଠ ନିଦର୍ଶନ ଅଟେ ।
ବିଗତ ୨୧ ମାସ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରାଯାଇଛି । “ଓଡ଼ିଆ ଅସ୍ମିତା” ପାଇଁ ୨୦୦ କୋଟି “କର୍ପସ ପାଣ୍ଠି” ଓ ଓଡ଼ିଆ ଅସ୍ମିତା ର ପ୍ରାଣ କେନ୍ଦ୍ର ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆଜି ପ୍ରତ୍ୟେକ ଓଡ଼ିଆ ବରପୁତ୍ରଙ୍କୁ ସମ୍ମାନ ମିଳୁଛି । ଓଡ଼ିଆ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମରେ ପରିଣତ କରାଯାଉଛି । ଗତ ବର୍ଷ ଆମେ ଓଡ଼ିଶା ଦିବସ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଗ୍ରାମ ସତ୍ୟଭାମାପୁର ଠାରେ ପାଳନ କରିଥିବା ବେଳେ ଚଳିତ ବର୍ଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ସୁଆଣ୍ଡୋ ଠାରେ ପାଳନ କରାଯାଇ ଯୁବ ପିଢୀଙ୍କୁ ପ୍ରେରଣା ଦେଇଛୁ।
ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଜାଣିଲେ ହିଁ ଯୁବ ସମାଜ ପ୍ରେରଣା ଲାଭ କରିବ। ଚଳଚ୍ଚିତ୍ରର ହିରୋ ମାନଙ୍କୁ ଅନୁସରଣ କରିବା ଅପେକ୍ଷା ରିଏଲ ଲାଇଫ ହିରୋ ମାନଙ୍କୁ ଅନୁସରଣ କରିବା ଶତଗୁଣ ଶ୍ରେୟସ୍କର।
ଆମ ସରକାର ଆସିବା ମାତ୍ରେ ଓଡିଆକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପାଇଁ ଅନିର୍ବାର୍ଜ୍ୟ କରାଯାଇଛି। ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ସବୁ ସରକାରୀ ବିଜ୍ଞାପନ, ନୋଟିସ, ଚିଠିପାଇଁ କେବଳ ଓଡିଆ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଏହା ଫଳରେ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ବୃଦ୍ଧି ପାଉଛି, ଯାହା ଦ୍ଵାରା ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟ ଅଧିକ ବୋଧଗମ୍ୟ ହୋଇ ପାରିଛି।
ଗତବର୍ଷ ଠାରୁ ଆମେ ଏପ୍ରିଲ ୧ ଉତ୍କଳ ଦିବସ ଠାରୁ ଏପ୍ରିଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛୁ ।
ଏହି ଦୁଇ ସପ୍ତାହଯାକ ସମଗ୍ର ଓଡିଶାବାସୀ ଓଡିଆ ଭାଷା, ସାହିତ୍ୟ, କଳା, ଲୋକକଳା, ପୋଷାକ, ଖାଦ୍ୟ ସହ ଯୋଡିହୋଇ ରହୁଛନ୍ତି। ଆଗକୁ ମଧ୍ୟ ଏହି ଓଡିଆ ଅସ୍ମିତାକୁ ସମୃଦ୍ଧ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେବେ। ଆପଣମାନେ ଦେଖିବେ, ୨୦୩୬ ମସିହାରେ ଯେତେବେଳେ ଓଡିଶା ନିଜର ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରୁଥିବ ସେତେବେଳେ ସମୃଦ୍ଧ ଓଡିଶା ଗଠନ ହେବ।
୨୦-୨୧ ମାସରେ ଆମେ ୨୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ଆଣିଛୁ। ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛୁ। ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି କରିଛୁ।
ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମେ ଶିଳ୍ପ ଏବଂ ନିବେଶକୁ ଗୁରୁତ୍ୱ ଦେଉଛୁ । କିନ୍ତୁ ଏହି ଶିଳ୍ପାୟନ ଓଡ଼ିଆଙ୍କ ସ୍ୱାର୍ଥ ଏବଂ ପରିବେଶକୁ ସୁରକ୍ଷିତ ରଖି କରାଯିବ । ଓଡ଼ିଆ ଶ୍ରମିକ ଏବଂ କୁଶଳୀ ଯୁବକମାନେ ରାଜ୍ୟରେ ହିଁ ନିଯୁକ୍ତି ପାଇବେ ।
ଏହିସବୁ ଶିଳ୍ପ ସ୍ଥାପନ ପାଇଁ ଭିତ୍ତିଭୂମିର ବ୍ୟାପକ ଉନ୍ନତି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସରକାରୀ ସ୍ତରରେ ମଧ୍ୟ ୪୦ ହଜାର ନିଯୁକ୍ତି ଦିଆଯାଇଛି। ଦେଖିବାକୁ ଗଲେ, ଆମର ଯୁବବର୍ଗଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି।
ଆମର ମୌଳିକ ଉଦ୍ଦେଶ୍ୟ ହେଉଛି, ବିକାଶର ପଦଧ୍ବନୀ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବ। କେହି ବଞ୍ଚିତ ରହିବେ ନାହିଁ।
ଆମ ଶାସନରେ ସାଧାରଣ ଲୋକଙ୍କ ସ୍ୱରକୁ ପ୍ରାଧାନ୍ୟ ଦିଆଯାଉଛି । ଜଣେ ଓଡ଼ିଆ ଭାବରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗର୍ବିତ ମନେ କରିବା ଉଚିତ । ଆମେ ଶାସନକୁ ସଚ୍ଚୋଟ ଏବଂ ଲୋକାଭିମୁଖୀ କରିବା ପାଇଁ ଅହରହ ଚେଷ୍ଟା କରୁଛୁ ।
ଆମେ “ସୁଭଦ୍ରା ଯୋଜନା” ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଛୁ । ମହିଳାମାନେ ହିଁ ଆମ ସମାଜର ଏବଂ ସଂସ୍କୃତିର ରକ୍ଷାକବଚ । ସେମାନଙ୍କ ବିକାଶ ହିଁ ପ୍ରକୃତରେ ରାଜ୍ୟର ବିକାଶ ବୋଲି ମୋର ଧାରଣା ।
ଓଡ଼ିଶାର କୃଷକମାନେ ହେଉଛନ୍ତି ଆମ ଅସ୍ମିତାର ଆଧାର । ସେମାନଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ଆମର ଲକ୍ଷ୍ୟ । କୃଷି ଭିତ୍ତିକ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଆମେ ସଂକଳ୍ପବଦ୍ଧ ।
ଆମେ ଓଡ଼ିଶାର ଆଦିବାସୀ ସଂସ୍କୃତିକୁ ସମ୍ମାନ ଦେଉଛୁ । ସେମାନଙ୍କ ଭାଷା ଏବଂ ପରମ୍ପରା ଓଡ଼ିଆ ଅସ୍ମିତାର ଏକ ଅମୂଲ୍ୟ ଅଂଶ । ସେମାନଙ୍କ ବିକାଶ ପାଇଁ ଆମେ ଅନେକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରିଛୁ ଏବଂ ସେଗୁଡ଼ିକୁ ସଫଳ କରୁଛୁ ।
ଓଡ଼ିଆ ଅସ୍ମିତା ପାଇଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ପାଠ୍ୟପୁସ୍ତକରେ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସ ଏବଂ ମହାପୁରୁଷଙ୍କ ଜୀବନୀକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆମେ ଶିକ୍ଷା ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ସାରିଛୁ । ପ୍ରାଥମିକ ସ୍ତରରେ ପିଲାଙ୍କ ମୂଳଦୁଆକୁ ମଜବୁତ୍ କରି ଶିକ୍ଷାର ଉନ୍ନତି ପାଇଁ ପଞ୍ଚାୟତ ସ୍ତରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ମଧ୍ୟ ଶୁଭାରମ୍ଭ କରାଯାଇଛି ।
ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟକୁ ଆମେ ଅଧିକ କ୍ରିୟାଶୀଳ କରିବାକୁ ଚାହୁଁଛୁ । ଓଡ଼ିଆ ଭାଷା ଉପରେ ଗବେଷଣା ଏବଂ ନୂତନ ଶବ୍ଦକୋଷ ପ୍ରସ୍ତୁତି ପାଇଁ ସରକାର ସମସ୍ତ ପ୍ରକାର ଆର୍ଥିକ ଏବଂ ବୈଷୟିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛନ୍ତି ।
ଆମେ ଓଡ଼ିଆ ଖାଦ୍ୟ ଏବଂ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛୁ । ଆମର ରସଗୋଲା, ଛେନାପୋଡ଼, ସମ୍ବଲପୁରୀ ଶାଢ଼ୀ, ପିପିଲି ଚାନ୍ଦୁଆ, କନ୍ଧମାଳ ହଳଦୀ, କୋରାପୁଟ କଫି, କେନ୍ଦ୍ରାପଡ଼ା ରସାବଳୀ, କଟକର ରୂପା ତାରକସି, ରଘୁରାଜପୁର ପଟ୍ଟଚିତ୍ର, କୋଟପାଡ଼ ହସ୍ତତନ୍ତ ବସ୍ତ୍ର ଓ ଲାଞ୍ଜିଆ ସୌରା ଚିତ୍ରକଳା ପରି ଅନେକ ପାରମ୍ପାରିକ ଖାଦ୍ୟ, ବସ୍ତ୍ର ଓ ସାମଗ୍ରୀ ଗୁଡିକ ର ସ୍ୱତନ୍ତ୍ର ପରିଚୟ ରହିଛି, ତାହାକୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ।
ଓଡ଼ିଆ ସିନେମା ଏବଂ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଆମେ ନୂତନ ପ୍ରାଣ ସଞ୍ଚାର କରିବାକୁ ଚାହୁଁଛୁ। କଳାକାରମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ମଞ୍ଚ ପ୍ରଦାନ କରିବା ସହିତ ଆମ ସାଂସ୍କୃତିକ ଐତିହ୍ୟକୁ କଳା ମାଧ୍ୟମରେ ପରିବେଷଣ କରିବାକୁ ପ୍ରୋତ୍ସାହନ ଦେଉଛୁ ।
ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଆମର ସାଂସ୍କୃତିକ ରାଷ୍ଟ୍ରଦୂତ । ସେମାନେ ଯେଉଁଠି ବି ରୁହନ୍ତୁ, ନିଜ ମାଟିକୁ ଭୁଲି ନାହାନ୍ତି । ସେମାନଙ୍କୁ ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଆମେ ଏକ ନୂତନ ନୀତି ପ୍ରଣୟନ କରିଛୁ ।
ଓଡିଆ ପୁଅ, ଝିଅ ନିଜ ପ୍ରତିଭା ବଳରେ ନିଜର ଭାଗ୍ୟ ଗଢିବେ। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଗୁଆ ରହିବେ। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଓଡିଶାର ସୁନାମ ବିଶ୍ବସ୍ତରୀୟ ହେବ।
ବର୍ତ୍ତମାନ ସମୟରେ ଗ୍ଲୋବାଲାଇଜେସନର ପ୍ରଭାବ ଆମ ଭାଷା ଓ ସଂସ୍କୃତି ଉପରେ ମଧ୍ୟ ପଡୁଛି। କିନ୍ତୁ ଏହା ଆମର କର୍ତ୍ତବ୍ୟ ଯେ ଆମେ ଆମର ଅସ୍ମିତାକୁ ସୁରକ୍ଷିତ ରଖିବା।
କେବଳ କାର୍ଯ୍ୟାଳୟରେ ନୁହେଁ, ଆମେ ନିଜ ଘରେ, ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଓଡିଆ ଭାଷା, ଓଡିଆ ସଂସ୍କୃତି, ଓଡିଆ ଚାଲିଚଳଣିରେ ଓଡିଆତ୍ବକୁ ପ୍ରତିପାଦିତ କରିବା। ଆମ ପରମ୍ପରା, ଆମ ଐତିହ୍ୟକୁ ପିଢି ପରେ ପିଢି ଆଗକୁ ବଢାଇବା ଆବଶ୍ୟକ।
ଆମ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପାଇଁ ଓଡ଼ିଶା ଏକ ପ୍ରିୟ ରାଜ୍ୟ । ତାଙ୍କର ମନ୍ତ୍ର ହେଉଛି, “ବିକାଶ ଭି, ବିରାଶତ ଭି”। ତାଙ୍କର ଦୂରଦୃଷ୍ଟି ସର୍ବଦା ଓଡ଼ିଆ ଅସ୍ମିତାକୁ ବିଶ୍ୱ ସ୍ତରରେ ପରିଚିତ କରିଛି । ସେ ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆଙ୍କ ବୀରତ୍ୱକୁ ସର୍ବଦା ପ୍ରଶଂସା କରିଆସିଛନ୍ତି । ତାଙ୍କ ସରକାରଙ୍କ ଗୁରୁତ୍ବପୂର୍ଣ ପଦ ପଦବୀରେ ଅନେକ ସଫଳ ଓଡିଆଙ୍କୁ ସ୍ଥାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଚାହାଁନ୍ତି ଯେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେଉ । ତାଙ୍କରି ମାର୍ଗଦର୍ଶନରେ ଆମେ ଏହି ପଥରେ ଅଗ୍ରସର ହେଉଛୁ ।
ଆମ ସରକାର ଗରିବ ଲୋକଙ୍କ ସେବା ପାଇଁ ସମର୍ପିତ ଓ ଅନ୍ତ୍ୟୋଦୟରେ ବିଶ୍ବାସ ରଖେ । ଯେପର୍ଯ୍ୟନ୍ତ ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତି ବିକାଶର ସୁଫଳ ପାଇନାହିଁ, ସେ ପର୍ଯ୍ୟନ୍ତ ଆମର କାର୍ଯ୍ୟ ଅସମ୍ପୂର୍ଣ୍ଣ । ଅସ୍ମିତା ମାନେ କେବଳ ଭାଷଣ ନୁହେଁ, ଏହା ହେଉଛି ସେବା ।
ଓଡ଼ିଆ ଅସ୍ମିତାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ । ଯେଉଁମାନେ ଆମ ଭାଷା ଏବଂ ସଂସ୍କୃତିକୁ ଅବଜ୍ଞା କରୁଛନ୍ତି, ସେମାନଙ୍କୁ ସମାଜରେ ଉପଯୁକ୍ତ ଜବାବ ଦିଆଯିବ । ଆମେ ନିଜର ଆତ୍ମସମ୍ମାନ ରକ୍ଷା କରିବା ଜାଣିଛୁ ।
ଆଜି ମୁଁ ଏହି ମଞ୍ଚରୁ ରାଜ୍ୟର ମୁଖ୍ୟ ସେବକ ଭାବେ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ପିତାମାତା ଓ ଅଭିଭାବକ ମାନଙ୍କୁ ବିଶେଷ ଭାବେ ଅନୁରୋଧ କରିବି, ନିଜ ପିଲା ମାନଙ୍କ ସହ ଘରେ ଓଡିଆରେ କଥା ହୁଅନ୍ତୁ, ଓଡିଆ ଖବର କାଗଜ ପଢନ୍ତୁ, ଟେଲିଭିଜନରେ ଓଡିଆ ଚ୍ୟାନେଲ ଦେଖନ୍ତୁ ଏବଂ ଓଡିଆ ସାହିତ୍ଯ ପଢନ୍ତୁ । କାରଣ, ଓଡିଆ ଅସ୍ମିତା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଆମ ଜୀବନ ଶୈଳୀ ହେବା ଉଚିତ୍ ।
ଓଡ଼ିଆ ଅସ୍ମିତା ମାନେ ହେଉଛି ଆମର ଏକତା । ଆମେ ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଓଡ଼ିଆ । ଏହି ଏକତା ହିଁ ଆମର ବଡ଼ ଶକ୍ତି । ଆସନ୍ତୁ ଏହି ଶକ୍ତିକୁ ଉପଯୋଗ କରି ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା ।
ଓଡ଼ିଶାର ମାଟି ଏବଂ ପାଣିରେ ଏକ ଅଦ୍ଭୁତ ଶକ୍ତି ଅଛି । ଆମର ଲୋକକଥା ଏବଂ କିମ୍ବଦନ୍ତୀ ଆମକୁ ସାହସ ଦିଏ । ଆମେ ସେହି ସାହସକୁ ନେଇ ଆଗକୁ ବଢ଼ିବା ଏବଂ ବିଜୟୀ ହେବା । ଏହା ହିଁ ଓଡିଆ ଅସ୍ମିତାର ପ୍ରକୃତ ସାରତତ୍ତ୍ୱ ।
ଆଜିର ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀଙ୍କୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କୁ ସୃଜନଶୀଳ ପରାମର୍ଶ ଦିଅନ୍ତୁ । ଆମେ ମିଳିମିଶି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଏକ ନୂଆ ଶିଖରରେ ପହଞ୍ଚାଇବା, ଯାହା ଭବିଷ୍ୟତ ପାଇଁ ଉଦାହରଣ ହେବ ।
ଶେଷରେ, ମୁଁ ଏତିକି କହିବି ଯେ ‘ଓଡ଼ିଆ ଅସ୍ମିତା’ କେବଳ ଦୁଇଟି ଶବ୍ଦର ମିଳନ ନୁହେଁ, ବରଂ ଏହା ଆମ ପୂର୍ବଜଙ୍କ ତ୍ୟାଗର ପ୍ରତିଫଳନ ଏବଂ ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି।
ଆମ ଭାଷା ଓ ଆମ ସଂସ୍କୃତି ହେଉଛି ଆମ ଜାତିର ମେରୁଦଣ୍ଡ। ଯଦି ଏହା ସୁରକ୍ଷିତ ରୁହେ, ତେବେ ଓଡ଼ିଶାର ବିକାଶ ପ୍ରକୃତ ଅର୍ଥରେ ସାର୍ଥକ ହେବ।
ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଶପଥ ନେବା ଯେ, ଆଧୁନିକତା ସହିତ ପାଦ ମିଳାଇ ଚାଲିବା ବେଳେ ନିଜ ମାଟି, ମା’ ଏବଂ ମାତୃଭାଷାର ଗୌରବକୁ କେବେହେଲେ କ୍ଷୁଣ୍ଣ ହେବାକୁ ଦେବାନାହିଁ।
ନ୍ୟୁଜ୍ ୧୮ ଓଡ଼ିଆର ଏହି ପ୍ରୟାସ ଆଗାମୀ ଦିନରେ ପ୍ରତିଟି ଓଡ଼ିଆଙ୍କ ମନରେ ସ୍ୱାଭିମାନର ନୂତନ ଶିଖା ପ୍ରଜ୍ଜ୍ୱଳିତ କରିବ ବୋଲି ମୋର ଦୃଢ ବିଶ୍ବାସ ।
ଆମର ସାମୂହିକ ପ୍ରଚେଷ୍ଟା ହିଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସମୃଦ୍ଧ ଏବଂ ସ୍ୱାଭିମାନୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଆମର ପ୍ରତ୍ୟେକଟି ପଦକ୍ଷେପ ଓଡ଼ିଆ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେଉ । ଆମ ଭାଷା, ଆମ ସଂସ୍କୃତି ଏବଂ ଆମର ଓଡ଼ିଆ ଅସ୍ମିତା ଚିର ଅମର ରହୁ ।
ସମସ୍ତଙ୍କୁ ଧନ୍ୟବାଦ ।
ବନ୍ଦେ ଉତ୍କଳ ଜନନୀ ।
