ଭୁବନେଶ୍ୱର,୦୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀ ଗଙ୍ଗାଧର ମଲ୍ଲିକ, ପେଷ୍ଟିଂ କ୍ଲର୍କ ଶ୍ରୀ କବିରାଜ ପଣ୍ଡା ଓ ଡ୍ରାଇଭର ଶ୍ରୀ ରମେଶ ମଲ୍ଲିକଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଅଧ୍ୟକ୍ଷତା କରି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହ ତାଙ୍କର ଅନୁଭୂତିର ସ୍ମୃତିଚାରଣ କରିଥିଲେ । ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଦାୟିତ୍ଵବୋଧକୁ ପ୍ରଶଂସା କରିବା ସହ ସେମାନେ ବିଭାଗ ପାଇଁ ଏକ ଆଦର୍ଶ ବୋଲି ଉଲ୍ଲେଖ କରିଥିଲେ । ସେ ସେବାନିବୃତ୍ତ କର୍ମଚାରୀମାନଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ ।
ଉପଶାସନ ସଚିବ ଶ୍ରୀ ପ୍ରଣବ କୁମାର ଦାସ ତାଙ୍କ ବକ୍ତବ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦୀର୍ଘ ବର୍ଷର କାର୍ଯ୍ୟାନୁଭବ ଓ ବିଭାଗ ପ୍ରତି ସେମାନଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସେମାନଙ୍କର ସହଯୋଗୀ ମନୋଭାବ, ଭାଇଚାରା ଓ ସମସ୍ତଙ୍କ ପ୍ରତି ସହାୟତାମୂଳକ ଭାବନାକୁ ପ୍ରଶଂସା କରିଥିଲେ । ଅନୁଶାସନ ସଚିବ ମୌସୁମୀ ଦାସ ଓ ଲୋକସମ୍ପର୍କ ଅଧିକାରୀ ସାଗରିକା ପ୍ରିୟଦର୍ଶିନୀ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହ ସେବାନିବୃତ୍ତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇ ସୁଖମୟ ଅବସରଜୀବନ କାମନା କରିଥିଲେ ।
ଶ୍ରୀ ଗଙ୍ଗାଧର ମଲ୍ଲିକ, ଶ୍ରୀ କବିରାଜ ପଣ୍ଡା ଓ ଶ୍ରୀ ରମେଶ ମଲ୍ଲିକ ସେମାନଙ୍କର ଚାକିରି ଜୀବନର ସ୍ମୃତିଚାରଣ କରିଥିଲେ । ନିଜ ନିଜର ଅନୁଭବ ଓ ଅନୁଭୂତି ବଖାଣିବା ସହ ସେମାନେ ବିଭାଗର ସହକର୍ମୀମାନଙ୍କୁ ସେମାନଙ୍କର ସହଯୋଗୀ ମନୋଭାବ ଏବଂ ବନ୍ଧୁତା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କରଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
-0-
ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
