ଧନବାଦ, ୦୨/୦୪/୨୦୨୬ (ଓଡ଼ିଶା ସମାଚାର)- ଆଇ.ଆଇ.ଟି (ଆଇଏସଏମ) ଧନବାଦରେ ପ୍ରବାସୀ ଓଡ଼ିଆ ସମୁଦାୟଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ସମାଜ’ ଅନୁଷ୍ଠାନ ଦ୍ୱାରା ଉତ୍କଳ ଦିବସ ବେଶ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳନ କରାଯାଇଥିଲା।
ଏହି ଅବସରରେ ସଂସ୍ଥାନର ସମସ୍ତ ଓଡ଼ିଆ ପ୍ରାଧ୍ୟାପକ, ଗବେଷକ, ବିଭିନ୍ନ ବିଭାଗର ଡିନମାନଙ୍କ ସହିତ ଭାରତ କୋକିଂ କୋଲ୍ ଲିମିଟେଡ୍ (BCCL) ଓ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (DGMS)ର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଓ ବୈଜ୍ଞାନିକମାନେ ଯୋଗଦେଇଥିଲେ।
ସଭାର ଆରମ୍ଭ ପାରମ୍ପରିକ ଭାବେ ସଂସ୍ଥାନର ନିର୍ଦ୍ଦେଶକ ପ୍ରୋଫେସର ସୁକୁମାର ମିଶ୍ର, ଉପ-ନିର୍ଦ୍ଦେଶକ ପ୍ରୋଫେସର ଧୀରଜ କୁମାର ଏବଂ ମୁଖ୍ୟ ଅତିଥି ଆଇ.ଆଇ.ଟି ମାଣ୍ଡିର ପ୍ରାଧ୍ୟାପକ ପ୍ରୋଫେସର ଅଞ୍ଜନ କୁମାର ସ୍ୱାଇଁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଲିଟରେଚର୍ ଆଣ୍ଡ ଲ୍ୟାଙ୍ଗୁଏଜ୍ ବିଭାଗ ପ୍ରଯୋଜନା କରିଥିଲେ।
ଉତ୍କଳ ର ଭବ୍ୟ ଇତିହାସ ଓ ଆଧୁନିକ ଯୁଗ ରେ ଏହାର ଗୁରୁତ୍ୱ ବିଷୟରେ ଯୁବ ବକ୍ତା ବିଶ୍ୱକସେନ ଦାଶଙ୍କ ଅଭିଭାଷଣ ସଭିଙ୍କୁ ବେଶ ଆକୃଷ୍ଟ କରିଥିଲା । ସାଂସ୍କୃତିକ ଅଂଶରେ ‘ମା ସାହେଶ୍ୱରୀ କଳାନିକେତନ’ ପକ୍ଷରୁ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ଏହାସହ କଳିଙ୍ଗ ସମାଜର କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ‘ଜୀବନ ଓ ସଂଘର୍ଷ : ନ ଅଙ୍କ ଦୁର୍ଭିକ୍ଷ, ୧୮୬୬’ ଦର୍ଶକମାନଙ୍କୁ ଭାବବିହ୍ୱଳ କରିଥିଲା ଏବଂ ସନ୍ଧ୍ୟାକୁ ନୂତନ ରଙ୍ଗ ଦେଇଥିଲା।
ଏହା ବ୍ୟତୀତ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ଓ ଏକ ସ୍ୱାଦିଷ୍ଟ ଓଡ଼ିଆ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା।
