ଜଗତସିଂହପୁର ଜିଲ୍ଲାରେ ବନ୍ୟା ଜନିତ ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

ଜଗତସିଂହପୁର, ୨୯/୦୯/୨୦୨୬ (ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ଗତ କିଛି ଦିନ ଲଗାଣ ବର୍ଷା ଯୋଗୁଁ  ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଗତକାଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତ ଏବଂ ୧୨ଟି ଗ୍ରାମ ପ୍ରଭାବିତ ହୋଇଛି। ଏହି ବନ୍ୟା ପରିସ୍ଥିତି ଯୋଗୁଁ ମୋଟ ୧୯୩୮ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୬ଟି ରିଲିଫ୍ କେନ୍ଦ୍ରରେ ରଖାଯାଇଛି । ଏହି ସମସ୍ତ ରିଲିଫ୍ କେନ୍ଦ୍ରରେ ୮୨୨ ଜଣଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୬ ଟି ଫ୍ରୀ କିଚେନ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ମାନବୀୟ ମୃତ୍ୟୁ କିମ୍ବା ପଶୁଧନର ମୃତ୍ୟୁ ଘଟିନାହିଁ।

ଜରୁରୀକାଳୀନ ରିଲିଫ୍ ଭାବେ ଏପର୍ଯ୍ୟନ୍ତ ୯.୫୦ କିଲୋଗ୍ରାମ୍ ଚୁଡ଼ା, ୧.୬୦ କିଲୋଗ୍ରାମ୍ ଗୁଡ଼/ଚିନି ଏବଂ ୪୦ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି। ଏହା ସହିତ ୨୦ ପ୍ୟାକେଟ୍ ମହମବତୀ ଏବଂ ୧୦ ବଣ୍ଡଲ୍ ଦିଆସିଲି ଯୋଗାଇ ଦିଆଯାଇଛି। ଲୋକଙ୍କ ଚିକିତ୍ସା ସେବା ପାଇଁ ୩ଟି ମେଡିକାଲ୍ ଟିମ୍ ଏବଂ ପଶୁ ଚିକିତ୍ସା ସେବା ପାଇଁ ୫ଟି ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ କରାଯାଇଛି ।ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୪ଟି ଡଙ୍ଗା/ବୋଟ୍ ନିୟୋଜିତ ହୋଇଛି। ପାନୀୟ ଜଳ ଯୋଗାଣ ପାଇଁ ୩ଟି ଜଳ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି ।

ବନ୍ୟା ପରିସ୍ଥିତିରେ ପ୍ରାଣୀ ସମ୍ପଦର ସୁରକ୍ଷା ଓ ପଶୁପାଳକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକରେ ୧୫ କ୍ୱିଣ୍ଟାଲ ଗୋ-ଖାଦ୍ୟ ଓ ୨୦ କ୍ୱିଣ୍ଟାଲ ସବୁଜ ଚାରା ଏବଂ ତିର୍ତ୍ତୋଲ ବ୍ଲକରେ ୯ କ୍ୱିଣ୍ଟାଲ ଗୋ -ଖାଦ୍ୟ ଓ ୧୩ କ୍ୱିଣ୍ଟାଲ ସବୁଜ ଚାରା ବଣ୍ଟନ କରାଯାଇଛି ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ୬ଟି ମୋବାଇଲ ମେଡିକାଲ ଟିମ୍ (MMT) ଏବଂ ୯ଟି ରାପିଡ୍ ରେସ୍ପନ୍ସ ଟିମ୍ (RRT) ନିୟୋଜିତ କରାଯାଇଛି। ୨ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୨୪୯୫ଟି କୂଅରେ ପାଣି ବିଶୋଧନ କରାଯାଇଛି । ଜିଲ୍ଲାରେ ବନ୍ୟା/ଜଳବନ୍ଦୀ ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରହିଛି।  କୁଜଙ୍ଗ ବ୍ଲକରେ ୨୯ଟି ସାମାନ୍ୟ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିବା ସହ ୪୬ଟି ORS ବଣ୍ଟନ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ଆବଶ୍ୟକ ସେବା ଯୋଗାଣ କାର୍ଯ୍ୟ ଜାରି ରହିଛି। ସନ୍ଧ୍ୟା ୫ ଘଟିକା ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ବର୍ଷା ର ପ୍ରଭାବ କମିଥିବାରୁ ହୀରାକୁଦ ଜଳଭଣ୍ଡାର ର ୩ ଗେଟ୍ ବନ୍ଦ ସହ ୧୯ ଗେଟ୍ ଖୋଲା ରହିଛି।ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ସହ ଆବଶ୍ୟକତା ଅନୁଯାୟୀ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପାଳ ଆଜି ମଧ୍ୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *