ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,୦୭/୦୧/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟସ୍ତରୀ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆବାହକ ଶ୍ରୀ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭବନ (ଭୁବନେଶ୍ୱରଠାରେ) ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କ ପାଇଁ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହି ଅବସରରେ କେ.ୱାନ ଏନ୍ଟରଟେନମେଂଟ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ଭୁବନେଶ୍ୱର ଗୁରୁଦ୍ୱାର ସିଂ ସଭାର ପ୍ରତିନିଧି ଶ୍ରୀ ସତପାଲ ସିଂହ ଓ ଏମ୍.ଏସ୍. କାଲସି ଏଠାରେ ଉପସ୍ଥିତ ରହି ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସଭାରେ ଉପସ୍ଥିତ ଅତିଥିବୃନ୍ଦ ସ୍ୱର୍ଗତ ମନମୋହନ ସିଂହଙ୍କ କୀର୍ତି ଓ କୃତି ଉପରେ ବିଶଦ ଆଲୋକପାତ କରିଥିଲେ । ସ୍ୱର୍ଗତ ସିଂହଙ୍କ ବ୍ୟକ୍ତିତ୍ୱ, ୧୦ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳ ଅର୍ଥମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟଦକ୍ଷତା, ଜୀବନ ସଂଘର୍ଷ ଓ ସଫଳତା ଉପରେ ସମ୍ମାନିତ ବକ୍ତାମାନେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆଜିର ପାକିସ୍ତାନର ଗହ ଠାରୁ ଦିଲ୍ଲୀର ନିଗମ ବୋର୍ଡ଼ର ଘାଟ ପର୍ଯ୍ୟନ୍ତ ଏକ ଦୀର୍ଘପଥ ଯାତ୍ରାରେ ସେ ସମାଜ ପାଇଁ ବିଶେଷକରି ଭାରତବାସୀଙ୍କ ପାଇଁ ଯେଉଁ ସେବା ଅର୍ପଣ କରିଛନ୍ତି, ସେଥିପାଇଁ ସେ ଚିର ସ୍ମରଣୀୟ ରହିବେ । ସେ ଥିଲେ ଭାରତବର୍ଷରେ ଉଦାରବାଦର ଜନକ ବା ପ୍ରବର୍ତକ । ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲାବେଳେ ନିଜର ସୂକ୍ଷ୍ମ ବିଚାର ପାଇଁ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାରୁ ଭାରତକୁ ମୁକ୍ତ ରଖିପାରିଥିଲା । ସେ ତାଙ୍କର ୧୦ ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳରେ ସାଧାରଣ ଜନତାଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଲୋକଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ଦେବା ପାଇଁ ସେ ବିଶେଷକରି ଯୋଜନା ପ୍ରଣୟନ କରୁଥିଲେ । ଦେଶରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଏବଂ ସରକାରଙ୍କ ଶାସନ ବିଷୟରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବା ଲକ୍ଷ୍ୟରେ ସେ ପ୍ରଣୟନ କଲେ ସୂଚନା ଅଧିକାର ଆଇନ୍ । ଏଥିରେ ଜଣେ ସାଧାରଣ ମଣିଷ ରାଷ୍ଟ୍ର ଶାସନର ସମସ୍ତ ଗହନ କଥା ଜାଣିବା ପାଇଁ ଅଧିକାରପ୍ରାପ୍ତ ହେଲା । କ୍ଷୁଧାମୁକ୍ତ ଭାରତ ନିର୍ମାଣ ପାଇଁ ସେ ପ୍ରଣୟନ କରିଥିଲେ ‘ଖାଦ୍ୟ ନିରାପତା ଆଇନ୍’ ଯେଉଁଥିରେ ୮୦ କୋଟି ଲୋକ ଅନ୍ତର୍ଭୁକ୍ତ ହେଲେ, ସହରର ୫୦ ପ୍ରତିଶତ ଏବଂ ଗାଁର ୭୫ ପ୍ରତିଶତ ଲୋକ ଏହି ଯୋଜନା ବଳରେ ରାସନ ସାମଗ୍ରୀ ପାଇପାରିଥିଲେ । ସେହିପରି ଉତ୍କଟ ବେକାରୀରୁ ନିସ୍ତାର ପାଇବା ପାଇଁ ସେ ପ୍ରଣୟନ କରିଥିଲେ ମହାତ୍ମା ଗାନ୍ଧୀ ନରେଗା ଯୋଜନା । ଏହି ଯୋଜନା ବଳରେ ଗ୍ରାମାଂଚଳର ଲୋକଙ୍କ ହାତକୁ କାମ ଯୋଗାଇ ଦିଆଗଲା । ଉପେକ୍ଷିତ ଏବଂ ଅବହେଳିତ ବନବାସୀ ଓ ଆଦିବାସୀମାନଙ୍କ ପାଇଁ ସେ ପ୍ରଣୟନ କରିଥିଲେ ଯୁଗାନ୍ତକାରୀ ଜଙ୍ଗଲ ଅଧିକାର ଆଇନ । ଏପରିକି ଉଠାଦୋକାନୀମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ନିୟନ୍ତ୍ରଣ ଆଇନ-୨୦୧୪ ଆଇନ ପ୍ରଣୟନ କରିଥିଲେ । ସ୍ୱାସ୍ଥ୍ୟସେବାରେ ବୈପ୍ଲବିକ ପରିବର୍ତନ ପାଇଁ ସେ ପ୍ରଣୟନ କରିଥିଲେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାର ଦେବାକୁ ସେ ବ୍ୟବସ୍ଥା କରିଥିଲେ ଶିକ୍ଷା ଅଧିକାର ଆଇନ ।
ପାକିସ୍ତାନର ଗହର ସାଧାରଣ ଉର୍ଦ୍ଧୁ ବିଦ୍ୟାଳୟରୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ପାଠପଢା ସାରି ସେ ଅଧ୍ୟାପନା କରିବା ସହ ଦେଶରେ ଏବଂ ବିଶ୍ୱରେ ଅର୍ଥନୀତି କ୍ଷେତ୍ରରେ ବହୁ ସମ୍ମାନଜନକ ପଦବୀରେ କାର୍ଯ୍ୟ କରିବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ହୋଇଥିଲେ । ଅତ୍ୟନ୍ତ ନମ୍ର, ବିଚାରବନ୍ତ, ଆଚରଣ ଶୁଦ୍ଧ ଓ ବିଶାଳ ହୃଦୟର ମଣିଷ ଥିଲେ ଡଃ ମନମୋହନ ସିଂହ । ସମାଜସେବା ଏବଂ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସେ ପ୍ରେରଣାଦାୟୀ ପୁରୁଷ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡ଼ିର ଅମର ପଟ୍ଟନାୟକ ଓ ଲେନିନ୍ ମହାନ୍ତି, ସିପିଏମ୍ ର ଦୁଷ୍ମନ୍ତ ଦାସ, ସିପିଆଇର ରାମକୃଷ୍ଣ ପଣ୍ଡା ଓ ଆଶିଷ କାନୁନଗୋ, ସିପିଆଇ (ଏମ୍-ଏଲ) ଲିବରେସନର ଯୁଧିଷ୍ଠିର ମହାପାତ୍ର, ଆମ୍ ଆଦମୀ ପାର୍ଟିର ସଞ୍ଜୀବ ଦାସ, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ଅର୍ଥନୀତି ବିଶାରଦ ଦିଲ୍ଲୀପ ବିଶୋୟୀ, ରାଜୀବ ସାହୁ, ଅମର ପ୍ରଧାନ, ଶରତ ରାଉତ, ୱାସିର ନୱାଜ, ସିପ୍ରା ମଲ୍ଲିକ, ଅଖିଳେଶ ଯାଦବ, ସତ୍ୟପ୍ରକାଶ ନାୟକ ପ୍ରମୁଖ ସ୍ୱର୍ଗତ ସିଂହଙ୍କର ସ୍ମୃତିଚାରଣ କରିଥିଲେ । ଅମିୟ ପାଣ୍ଡବ ପ୍ରାରମ୍ଭିକ ଭାଷଣ ଦେବା ସହ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ପୂର୍ବତନ ବିଧାୟକ ସମୀର ରାଉତରାୟ, ରବୀନ୍ଦ୍ର ମଲ୍ଲିକ, ମନୋଜ ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମହମ୍ମଦ ଇନଦାଦ, ନାରାୟଣ ଜେନା, ଯୋଗୀନାଥ ବାହୁବଳେନ୍ଦ୍ର, ମହମ୍ମଦ ଗୁଲଫାମ୍, ଆଲୋକ ଦାସ, ବିଶ୍ୱ ଦାସ, ବିଜୟାନନ୍ଦ ଚାଉଳିଆ, ମନୋଜ ବିଶ୍ୱାଳ, ଶିଶିର ରଥ, ଆକବର ଖାନ, ଦୀପକ ମହାପାତ୍ର, ସସ୍ମିତା ପଣ୍ଡା, ରାହୁଲ ମହାନ୍ତି, ବଟକୃଷ୍ଣ ରାଉତରାୟ, ରାମଚନ୍ଦ୍ର ଗୋଚ୍ଛାୟତ, ଦେବେନ୍ଦ୍ର ସାହୁ, ରଣଜିତ ସେନାପତି, ନିହାର ବେହେରା, ସୁଦୀପ ସାମଲ, ଅଜୟ ସାହୁ, ସ୍ୱାଗତ କର, ଗୋପନ ମାର୍ଥା, ଅଶୋକ ଦାସ, ସୁବ୍ରତ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *