କେନ୍ଦ୍ରାପଡ଼ା,୩୧/୦୩/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅବସରଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ବିରସ୍ୱତୀ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ, ଉତରୀୟ ଓ ପେନସନ ମଞ୍ଜୁରୀପତ୍ର ପ୍ରଦାନକରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଏଥିସହିତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀଙ୍କ ସମେତ ଏ.ବି.ଇ.ଓ. ବଳଦେବ ପ୍ରସାଦ ଜେନା ଓ ଏ.ବି.ଇ.ଓ. ରଞ୍ଜନ କୁମାର ରାଉତରାୟ ପ୍ରମୁଖ ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କ କର୍ମନିଷ୍ଠା, କର୍ତବ୍ୟ ପରାୟଣତା, ସମୟାନୁବର୍ତିତା ଓ ସମସ୍ତଙ୍କୁ ଆପଣାରକରି କର୍ମକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନ କରିବା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଏଥିସହିତ ବୁଢିବିଳାଶୁଣୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ତଳବାରଙ୍ଗ ପ୍ରକଳ୍ପ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଳା ମହାପାତ୍ରଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟର ଏସଓ ବିଜ୍ଞାନ କିଶୋର ମିଶ୍ର, ଷ୍ଟାଫ ନବକିଶୋର ଦାସ, ସୂର୍ଯ୍ୟ ବିଶ୍ୱାଳ, ପ୍ରମୋଦ କୁମାର ମଲ୍ଲ ଓ ସୁଜିତ କୁମାର ରାଉତଙ୍କ ସମେତ ଶିକ୍ଷକ ଦୀପକ କୁମାର ବେହେରା, ଅଶୋକ କୁମାର ସାହୁ, ସେକ ଆୟାସୁଦ୍ଧିନ, ସେକ ଫାୟାଜୁଦ୍ଧିନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
