ପିସ୍ତଲ, ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ଦୁଇ ବଣ୍ଡଲ ବିଦ୍ୟୁତ ତାର, ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ
ରେଢ଼ାଖୋଲ, ୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲା ନାକଟିଦେଉଳ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗତ ବୁଧବାର ଭୋର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ କୁଖ୍ୟାତ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଆହତ ହୋଇଛି । ସେ ସମ୍ବଲପୁର ଜିଲା ସଦର ଥାନା ରାସନପୁର ଗାଁ ର ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ସୂଚନା ଯୋଗ୍ୟ ଯେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଂଚଳରେ ଧନେଶ୍ୱର ଝାଙ୍କର(ଟିମା) ଓ ତାଙ୍କର ୩ ଜଣ ସହଯୋଗୀ ସତ୍ୟଜିତ ପ୍ରଧାନ, ଦିଲ୍ଲୀପ ରାୟ ଓ ପ୍ରଶାନ୍ତ ମିର୍ଦ୍ଧା ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା । ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦେଶ କ୍ରମେ ନାକଟିଦେଉଳ ପୋଲିସ ଟିମ ସେଠାରେ ପହଂଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତ ଟିମା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲେ ।
ଏଥିରେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ପ୍ରୟାସ କରିଥିଲେ । ମାତ୍ର ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସର ନିୟନ୍ତ୍ରିତ ଗୁଳି ଚାଳନାରେ ଟିମାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ଘଟଣା ସ୍ଥଳରୁ ପୋଲିସ ଟିମାଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲେ । ଗୁଳିବିଦ୍ଧ ହୋଇ ଗୁରୁତର ଟିମାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାର ରେ ଭର୍ତି କରାଯାଇଥିଲା । ଅପର ପକ୍ଷରେ ଅପରାଧୀମାନଙ୍କ ନିକଟରୁ ଏକ ପିସ୍ତଲ, ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ଦୁଇ ବଣ୍ଡଲ ବିଦ୍ୟୁତ ତାର, ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ ।
ଏଥିରେ ପୂର୍ବରୁ ଅପରାଧୀ ଟିମା ନାମରେ ଓଡ଼ିଶାର ବିଭିନ୍ନ ଜିଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ରୁ ଊଦ୍ଧ୍ୱର୍ ସଙ୍ଗୀନ ମାମଲା ରହିଛି । ଏଥିରେ ପୂର୍ବରୁ ଉକ୍ତ ତିନି ସହଯୋଗୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଧନେଶ୍ୱର ଝାଙ୍କର(ଟିମା)ଙ୍କୁ ଭୀମସାରରୁ ସୁସ୍ଥ ହେବା ପରେ ରେଢ଼ାଖୋଲ ପୋଲିସ ଥାନାରେ ଆଣି ଅଟକ ରଖିଥିଲା ଏନେଇ ପୋଲିସ କେସ୍ ନଂ ୪୭/୨୬ରେ ଏକ ମାମଲା ରୁଜୁ କରି ସୋମବାର ଦିନ ରେଢ଼ାଖୋଲ କୋର୍ଟ ଚାଲାଣ କରି ଜେଲ୍ କୁ ପଠାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।
