ଯଯାତି ୨୦୨୬: ତୃତୀୟ ସନ୍ଧ୍ୟାରେ ମେଗା ଓଲିଉଡ ନାଇଟ

ଯାଜପୁର, ୨୨/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି ଓଡ଼ିଶାର ପାରମ୍ପରିକ କଳା ସଂସ୍କୃତିର ଏକ ଅନୁପମ ଝଲକ। ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସରସ୍ୱତୀ କଳା ନିକେତନ ଦ୍ଵାରା ଓଡ଼ିଶୀ ନୃତ୍ୟ, ବ୍ୟାସଶ୍ରୀ କଳା ନିକେତନ ଦ୍ଵାରା ଢେମସା ନୃତ୍ୟ, କଳିଙ୍ଗ ଭାରତୀ ଗ୍ରୁପ୍ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ମୟୂରଭଞ୍ଜରୁ ଆସିଥିବା ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ ଓଡ଼ିଶାର ପାରମ୍ପରିକ ସମର ନୃତ୍ୟ ଛଉ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହାସହ କଳାକାରମାନେ ଦେଶାତ୍ମବୋଧ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ରେଟ୍ରୋ ହିନ୍ଦୀ ମ୍ୟୁଜିକର ଆସର ଜମିଥିଲା। ଆଜି ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ବହୁ ଖ୍ୟାତନାମା ଅଭିନେତା ଏବଂ ଅଭିନେତ୍ରୀଙ୍କ ପରିବେଷଣ ଦେଖିବାକୁ ମିଳିଥିଲା। ସୋହିନୀ ମିଶ୍ର ଏବଂ ଶଶାଙ୍କ ଶେଖରଙ୍କ ସୁମଧୁର କଣ୍ଠସ୍ୱରରେ ସମସ୍ତେ ମୋହିତ ହୋଇଥିଲେ।

ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଧୂଳିଆ ଜନ୍ଦା ଗୀତର ତାଳେ ତାଳେ ଦର୍ଶକ ମଧ୍ୟ ନାଚିଥିଲେ। ଓଲିଉଡର ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀ ପୁନମ ମିଶ୍ର, ଶିବାନୀ, ଶୈଳେନ୍ଦ୍ର, ରିୟା ଦେ, ଶୁଭାଶିଷ ଶର୍ମା ମଧ୍ୟ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆଜି ରବିବାର ହୋଇଥିବାରୁ ସୁଭଦ୍ରା ଶକ୍ତି ମେଳା ଏବଂ ପଲ୍ଲିଶ୍ରୀ ମେଳାରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଫୁଡ୍ କୋର୍ଟରେ ମଧ୍ୟ ଲୋକେ ପାରମ୍ପରିକ ଖାଦ୍ୟର ମଜା ନେଇଥିଲେ।

Leave a Reply

Your email address will not be published. Required fields are marked *