କେନ୍ଦ୍ରାପଡ଼ା, ୧୨/୧୦/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡ. ଜଗନ୍ନାଥ ପ୍ରସାଦ ଦାଶଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ବାର୍ଦ୍ଧକ୍ୟଜନିତ ରୋଗରେ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ଡ. ସରୋଜ ପ୍ରସାଦ ଦାଶ, ଝିଅ ଡ. ରତ୍ନମଞ୍ଜରୀ ଦାଶ, ସ୍ନେହମଞ୍ଜରୀ ଦାଶଙ୍କ ସମେତ ଜ୍ୱାଇଁ ଓ ବନ୍ଧୁ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଶିକ୍ଷା ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶୋକବ୍ୟକ୍ତ କରି କହିଛନ୍ତି । ସ୍ୱର୍ଗତ ଦାଶଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର ପ୍ରମୋଦ କୁମାର ଦାସ, ବର୍ତମାନର ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ ପ୍ରମୁଖ ବହୁ ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ବିଶିଷ୍ଟବ୍ୟକ୍ତି ମାନେ ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତ ଦାଶ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ଅଧିନ ବିଶ୍ୱାଳୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମାଜସେବାରେ ନିଜକୁ ନିୟୋଜିତ କରିଥିବା ସ୍ୱର୍ଗତ ଦାଶ ୧୯୭୩ ମସିହାରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ସାଲେପୁର ମହାବିଦ୍ୟାଳୟରୁ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ଲେଖା ଗୁଡିକ ବିଭିନ୍ନ ପତ୍ରପତ୍ରିକା, ପୁସ୍ତକ ଓ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ବେଶ ଆଦୃତ ହୋଇଥିଲା ।
ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସମୟରେ ସମ୍ମାନିତ ହୋଇଥିବା ସ୍ୱର୍ଗତ ଦାଶ ଜଣେ ମାନବୀୟ ମୂଳ୍ୟବୋଧ, ମହତ ଚିନ୍ତାଧାରା, ନମ୍ର, ଅମାୟିକ ଓ ଆଦର୍ଶବାଦୀ ଶିକ୍ଷକ ଭାବରେ ପରିଚିତ ଥିଲେ । ତାଙ୍କର ଶେଷକୃତ୍ୟ ଭୁବନେଶ୍ୱରରେ ସମ୍ପନ୍ନ ହୋଇଥିବା ବେଳେ ସାନପୁଅ ଡ. ବିଶ୍ୱମୋହନ ଦାଶ ମୁଖାଗ୍ନି ଦେଇଥିଲେ ।
