ଯଯାତି ୨୦୨୬: ମହାଆଡ଼ମ୍ବରରେ ଉଦଘାଟିତ ହେଲା ଜିଲ୍ଲା ମହୋତ୍ସବ

ଯାଜପୁର, ୨୧/୦୩/୨୦୨୬ (ଓଡ଼ିଶା ସମାଚାର)- ମହାଆଡ଼ମ୍ବରରେ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉଦଘାଟିତ ହୋଇଯାଇଛି। “ଯଯାତି -୨୦୨୬” ଏବଂ “ସୁଭଦ୍ରା ଶକ୍ତି ଓ ପଲ୍ଲୀଶ୍ରୀ ମେଳା”କୁ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଶୁଭ ଉଦଘାଟନ କରିଥିଲେ। ଏହା ସହ ମଞ୍ଚାସୀନ ଅତିଥିମାନେ ସ୍ମରଣିକା ‘ଯଯାତି -୨୦୨୬’ ର ଶୁଭ ଉନ୍ମୋଚନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଥିଲେ ଯେ ଯଯାତି ଉତ୍ସବ ହେଉଛି ଏକ ସେତୁ, ଯିଏ ଆମର ପୁରାତନ ରାଜକୀୟ ପରମ୍ପରାକୁ ଆଜିର ଆଧୁନିକ ପିଢ଼ି ସହିତ ଯୋଡ଼ିଥାଏ। ଏହାସହ ମନ୍ତ୍ରୀ ପଲ୍ଲିଶ୍ରୀ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ମହିଳା ସଶକ୍ତିକରଣ ହେବା ସହ ହସ୍ତଶିଳ୍ପର ପ୍ରୋତ୍ସାହନ ହୋଇପାରିବ ବୋଲି କହିଥିଲେ। ଅତିଥିମାନେ ଯାଜପୁରର ଐତିହ୍ୟ, ସଂସ୍କୃତି, ସମୃଦ୍ଧ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସଭା ପ୍ରାରମ୍ଭ ପୂର୍ବରୁ ବିଭିନ୍ନ ଲୋକନୃତ୍ୟ ସହ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହା ପରେ ଓଲିଉଡ୍‌ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଅଭିନେତ୍ରୀ ଶୀତଲ ପାତ୍ର ମନୋହର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନୃତ୍ୟ ଗୀତର ଆସରରେ ଯାଜପୁରବାସୀ ନାଚିଥିଲେ ଝୁମିଥିଲେ। ଏହି ଶୁଭ ଉଦଘାଟନ ଅବସରରେ ଲୋକସଭା ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ଶ୍ରୀ ହିଂମାଶୁ ଶେଖର ସାହୁ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ସମାଜସେବୀ ଦେବଯାନୀ ପ୍ରଧାନ ଉପସ୍ଥିତ ଥିଲେ।

ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *