“ଗ୍ରାମୋଦୟ” ପଦକ୍ଷେପରେ ଶତ ପ୍ରତିଶତ ମୌଳିକ ସୁବିଧା ପ୍ରଦାନ ଓ ବିଭିନ୍ନ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୯/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ମାଓ ପ୍ରଭାବିତ ଅଂଚଳରେ ସାମଗ୍ରିକ ଉନ୍ନତି ପାଇଁ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ “ଗ୍ରାମୋଦୟ” ଭଳି ଅଭିନବ ପଦକ୍ଷେପ ନିଆଯାଇଥିଲା ।ଏହି ପଦକ୍ଷେପରେ ସଂପୃକ୍ତ ଅଂଚଳରେ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ କରାଯାଉଛି, ସେ ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏ ସଂପର୍କିତ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ସଂପୃକ୍ତ ଅଂଚଳର ଜନସାଧାରଣ ଓ ହିତାଧିକାରୀଙ୍କୁ ଶତ ପ୍ରତିଶତ ଲକ୍ଷ୍ୟ ଭିତ୍ତିକ (ସାଚ୍ୟୁରେସନ ମୋଡ) ରେ ସୁବିଧା କାର୍ଯ୍ୟକାରୀ କରିବାକୁ ସେ ବିଭିନ୍ନ ବିଭାଗଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଭାଗମାନଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ପ୍ରଦାନ କରି ଆଲୋଚନା କରିଥିଲେ ।
ମାଓ ପ୍ରଭାବିତ ଅଂଚଳରେ ସାମୁହିକ ଓ ପରିବାର ଭିତ୍ତିରେ ଜନକଲ୍ୟାଣକାରୀ ଯୋଜନା ଓ ମୌଳିକ ସୁବିଧାକୁ ସାଚ୍ୟୁରେସନ ମୋଡରେ ଶତ ପ୍ରତିଶତ କାର୍ଯ୍ୟକାରୀ କରାଇ ସରକାର-ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ବିକାଶ ପ୍ରତି ପାରସ୍ପରିକ ଆସ୍ଥା ସ୍ଥାପନ କରିବା ଉଦ୍ଦେଶ୍ୟ ରଖିଏହା ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପରେ ରାଜ୍ୟ ର ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୩୯ଟି ବ୍ଲକର ୧୯୨ଗ୍ରାମପଂଚାୟତରେ ୪୮୪ ଗ୍ରାମରେ ୫୭ହଜାର୨୯୬ ପରିବାରଙ୍କୁ ଚିହ୍ନଟ କରାଯାଇ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ଜିଲ୍ଲା ମାନଙ୍କ ମଧ୍ୟରେ ରହିଛନ୍ତି ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି,ନବରଙ୍ଗପୁର, ନୂଆପଡା ଓ ରାୟଗଡା ଜିଲ୍ଲା।ଏସବୁ ଜିଲ୍ଲାର ଚିହ୍ନଟ କରାଯାଇଥିବା ଅଂଚଳରେ ବିକାଶ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପରିଚାଳନା କମିଟି, ଜିଲ୍ଲା ସ୍ତରରେ ଜିଲ୍ଲାପାଳ, ବ୍ଲକ ସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏବଂ ଗ୍ରାମପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇ କାର୍ଯ୍ୟ ତଦାରଖ କରାଯାଉଛି। ଏଥିପାଇଁ ସଂପୃକ୍ତ ୨୦ଟି ବିଭାଗର ଅଧିକାରୀ ମାନଙ୍କ ଦ୍ୱାରା ପ୍ରାଥମିକ ସର୍ବେକ୍ଷଣ (ବେସ ଲାଇନ ସର୍ଭେ ) କରାଯାଇ ବିଭିନ୍ନ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲପାଇଁ କାର୍ଯ୍ୟ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।
ମୁଖ୍ୟ ଶାସନ ସଚିବ ଏସବୁ ଅଂଚଳରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବା ଓ ଏହାଦ୍ୱାରା ସେମାନେ ଉପଲବ୍ଧ ସୁବିଧା ପାଇବା ସୁନିଶ୍ଚିତ କରିବାକୁ ସଂପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଜିଲ୍ଲାର ଗ୍ରାମ ମାନଙ୍କରେ ଆବଶ୍ୟକତା ଓ ଭୌଗୋଳିକ ସୁବିଧା ଅନୁସାରେ ସୁଲଭ ଖାଉଟି କେନ୍ଦ୍ର ଖୋଲାଯିବାକୁ ପଦକ୍ଷେପ ନିଆଯାଇଛି। ବାସହୀନ ଲୋକଙ୍କୁ ଚିହ୍ନଟ କରାଯାଇ ବସୁନ୍ଧରା ଯୋଜନାରେ ଜମି ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସ୍ଥିତି ସମୀକ୍ଷା କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁବକ ଯୁବତୀମାନଙ୍କୁ ଅଗ୍ନିବୀର, ପାରାମିଲିଟାରୀ ଓ ପୁଲିସ ସେବାରେ ଯୋଗ ଦେବାପାଇଁ ପ୍ରାକ ପ୍ରଶିକ୍ଷଣ ପଦକ୍ଷେପ ବ୍ୟବସ୍ଥା କରାଯାଉଛି। ଅର୍ଥନୈତିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ, ଅଙ୍ଗନବାଡି ନଥିବା ଅବଶିଷ୍ଟ ଗ୍ରାମ ଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ କେନ୍ଦ୍ର ନିର୍ମାଣ, ସବୁ କେନ୍ଦ୍ରରେ ପାନୀୟଜଳ, ବିଦ୍ୟୁତସଂଯୋଗ, ଶୌଚାଳୟ, ରୋଷେଇଘର, ରନ୍ଧନଗ୍ୟାସଓ ଆନୁଷ୍ଠାନିକସୁବିଧାକରିବାକୁ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଏବଂ ସଂପୃକ୍ତ ଅନ୍ୟ ବିଭାଗ ମାନଙ୍କୁ ମୁଖ୍ୟଶାସନସଚିବ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ଅଂଚଳରେ ବ୍ୟାଙ୍କ ସୁବିଧା ନଥିବା ୨୪୪ଟି ଗ୍ରାମରେ ଅଗ୍ରାଧିକାର ଭିତ୍ତିରେ ମିନିବ୍ୟାଙ୍କ, ମାଇକ୍ରୋ ଏଟିଏମ୍ ଏବଂ ବ୍ୟାଙ୍କ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବା ଅର୍ଥବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ରୋଜଗାର ସୃଷ୍ଟି ଓ ନିଯୁକ୍ତି ସୁଯୋଗ ପାଇଁ ସମସ୍ତ ଯୋଗ୍ୟ ମହିଳା ମାନଙ୍କୁ ସ୍ୱୟଂସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିବା ଏବଂ ମୋବାଇଲ ନେଟଓ୍ୱାର୍କ ନଥିବା ଅବଶିଷ୍ଟ ଗ୍ରାମଗୁଡିକ ପାଇଁ ଅଗ୍ରାଧିକାର ଭିତ୍ତିରେ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ସମସ୍ତ୩୯ଟି ବ୍ଲକ ସ୍ତରୀୟଷ୍ଟାଡିଅମ ନିର୍ମାଣ ସହ ବିଭିନ୍ନ କ୍ରୀଡା ପାଇଁ ଆବଶ୍ୟକ କ୍ରୀଡା ଉପକରଣ ନିମନ୍ତେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ମାଓ ପ୍ରଭାବିତ ଅଂଚଳରେ ବ୍ଳକ ସଦର ମହକୁମାକୁ ପରିବହନ ସେବା ବୃଦ୍ଧିପାଇଛି। ନବରଙ୍ଗପୁର ଜିଲ୍ଲାରେ୭୫% ଓ ମାଲକାନଗିରି ଜିଲ୍ଲାରେ୬୫% ମହିଳା ବସ ପରିବହନ ସେବା ସୁଯୋଗ ନେଇ ସୁବିଧାରେ ଯାତାୟତ କରୁଛନ୍ତି।ଅଟଳ ବସଷ୍ଟାଣ୍ଡ ଯୋଜନାରେ ବସଷ୍ଟାଣ୍ଡ ନିର୍ମାଣ କରାଯାଇ ଭିତ୍ତିଭୂମି ସୁଦୃଢ କରାଯାଉଛି। ଜଳସେଚନ କ୍ଷମତାବୃଦ୍ଧିପାଇଁଡିପ୍ ବୋରଓ୍ୱେଲ, ଗୋଷ୍ଠୀ ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରସ୍ଥାବ କାର୍ଯ୍ୟକାରୀ କରାଯାଉଛି।
ଜୀବିକାର୍ଜନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୁବ ହିତାଧୀକାରୀଙ୍କୁ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଦକ୍ଷତା ବିକାଶ ପ୍ରଶିକ୍ଷଣ ପଦକ୍ଷେପ ସମ୍ପର୍କରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମାଓ ପ୍ରଭାବିତ ଅଂଚଳରେ ନିର୍ମାଣ ଶ୍ରମିକ ମାନଙ୍କୁ ପଂଜୀକୃତ କରାଯାଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କମ୍ୟୁନିଟି ସେଣ୍ଟର, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ , ସବୁଦିନିଆ ରାସ୍ତା ନିର୍ମାଣ , ଗ୍ରାମୀଣ ଆବାସ ନିର୍ମାଣ ଏବଂ ଖେଳ ପଡ଼ିଆ ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।
“ଗ୍ରାମୋଦୟ” ପଦକ୍ଷେପରେ ତୃଣମୂଳସ୍ତରରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରିବା ସହିତ ପ୍ରତି ମାସରେ ବୈଠକ କରାଯାଇ ଏସବୁ ଅଂଚଳର ବିକାଶ ଅଗ୍ରଗତି ସମୀକ୍ଷା କରାଯିବା ନେଇ ମୁଖ୍ୟ ଶାସନ ଗୁରୁତ୍ୱାରୋପ କରିଥିଲେ ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
