କେନ୍ଦ୍ରାପଡ଼ା, ୧୩/୦୮/୨୦୨୫(ଓଡ଼ିଶା ସମାଚାର)- ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ଗଗୁଆ ପଂଚାୟତର ରାହାମାସ୍ଥିତ ନିଗମାନନ୍ଦ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଦାଶ(୮୩)ଙ୍କର ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ, ୨ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ । ସେ ଜଣେ ଶିକ୍ଷାବୀତ, ସମାଜ ସଂସ୍କାରକ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ ।
ସ୍ୱର୍ଗତ ଦାଶଙ୍କ ଉଦ୍ୟମରେ ଠାକୁର ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧନ୍ଦାମୂଳକ ବିଦ୍ୟାଳୟ, ମହାବିଦ୍ୟାଳୟ, ବାବର ଡାକ୍ତରଖାନା ଓ ବ୍ୟାଙ୍କ ପ୍ରଭୃତି ପ୍ରତିଷ୍ଠା ହୋଇପାରିଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ଅଣାଯାଇ ସାନରାହାମା, ବଡରାହାମା, ପଟଣା, ବାବର ବଜାର ଓ ମହାବିଦ୍ୟାଲୟ ପରିସରକୁ ନିଆଯାଇଥିଲା । ସବୁସ୍ଥାନରେ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ତାଙ୍କ ବିୟୋଗରେ ଠାକୁର ନିଗମାନନ୍ଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମନ୍ମଥ କୁମାର ପାତ୍ରଙ୍କ ନିର୍ଦେଶରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରଦୀପ୍ତ କିଶୋର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପକ ପ୍ରତାପ କୁମାର ପ୍ରଧାନ, ସୁଦାମ ଚରଣ କର, ରମେଶ ଚନ୍ଦ୍ର ସାମଲ, ଅଧ୍ୟାପିକା ରୋଜାଲିନ ବିଶ୍ୱାଳ, ମଧୁସ୍ୱପ୍ନା ପଟ୍ଟନାୟକ, ସସ୍ମିତା ସାହୁ, ଝୁନୁଲତା ପ୍ରଧାନ ଓ ଅଣଶିକ୍ଷା କର୍ମଚାରୀ ରତିକାନ୍ତ ବେହେରା, ସମିର ବେହେରା, ମଦନ ଦାସ, ନଳିନିକାନ୍ତ ଦାସ, ଆଦିକନ୍ଦ ରାଉଳ, ବରଦା ଚୌଧୁରୀ, ଜିତେନ୍ଦ୍ର ପଣ୍ଡା, ବନବିହାରୀ ନାୟକ, ଭିକାରୀ ଚରଣ ଦାସ, ନଳିନୀପ୍ରଭା ଜେନା ଓ ବିପିନ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
