ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳାର ସଫଳ ସମାପନ

ଭୁବନେଶ୍ୱର,୧୯/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଚାରି ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଆଜି ଶେଷ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ (PIO), ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ (First appellate authority) ଓ ଅଧିକାରୀମାନେ ଅଂଶଗ୍ରହଣ କରି ସୂଚନା ଅଧିକାର ଆଇନର ପ୍ରୟୋଗାଧାରିତ ଜ୍ଞାନ ଅର୍ଜନ କରିଛନ୍ତି।

ଆଜିର ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ  ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଫାଲଗୁନୀ ସାହେ ନାୟକ ଯୋଗଦେଇଥିଲେ | ସୂଚନା ଅଧିକାର ଆଇନର କାର୍ଯ୍ୟକରୀ ଅନୁଷ୍ଠାନ ସରକାରୀ ପ୍ରଣାଳୀକୁ ଆହୁରି ପାରଦର୍ଶୀ ଓ ସ୍ଵଚ୍ଛ  କରିଥାଏ। ଆବେଦନଗୁଡ଼ିକର ସମୟୋପଯୁକ୍ତ ନିଷ୍ପତ୍ତି ଓ ସଠିକ୍ ସୂଚନା ପ୍ରଦାନ ଜନସାଧାରଣଙ୍କ ଭରସାକୁ ଦୃଢ଼ କରିଥାଏ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ସଚିବ ଶ୍ରୀ ପ୍ରଣବ ଦାସ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟ ପ୍ରଶିକ୍ଷକ ଓ ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଦିଲ୍ଲୀପ୍ କୁମାର ବିଶୋଇ କର୍ମଶାଳା ଅବଧିରେ ଆଇନର ବିଭିନ୍ନ ଧାରା, ନିୟମ ଓ ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ତଥ୍ୟଭିତ୍ତିକ ମାର୍ଗଦର୍ଶନ କରିଥିଲେ। ବିଭିନ୍ନ ମାମଲା ଓ ଅନୁଭବ ଆଧାରିତ ଉଦାହରଣ ମାଧ୍ୟମରେ ସେ ଅଂଶଗ୍ରହଣକାରୀ ମାନଙ୍କୁ ଆଇନର ସଠିକ୍ ପ୍ରୟୋଗ ସମ୍ପର୍କରେ ସ୍ପଷ୍ଟ ଧାରଣା ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ ସମବାୟ, କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଳ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପୂର୍ତ୍ତ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ଏବଂ ସୂଚନା ଓ ଲୋକସମ୍ପର୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳା ମାଧ୍ୟମରେ ଅର୍ଜିତ ଜ୍ଞାନ ଓ ଦକ୍ଷତା ସରକାରୀ କାର୍ଯ୍ୟପ୍ରଣାଳୀକୁ ଆହୁରି କାର୍ଯ୍ୟକରୀ କରିବା ସହ ସୂଚନା ଅଧିକାର ଆଇନର ସଫଳ ପ୍ରୟୋଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

ଏଥିସହ ଆସନ୍ତା ୨୪ ତାରିଖରେ ଗୀତ ଗୋବିନ୍ଦ ସଦନରେ ସୂଚନା ଅଧିକାର ଆଇନ ଉପରେ ନାଗରିକ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

-0-

ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *