ଯାଜପୁର, ୧୮/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୬ ଯାଜପୁର ରୋଡ଼ ସ୍ଥିତ ବହୁ ପୁରାତନ ପିଏମ ଶ୍ରୀ ଏନସି ହାଇସ୍କୁଲ ପରିସରରେ ଆୟୋଜିତ ହୋଇଛି। ଏହି ଉତ୍ସବକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମହେଶ୍ୱର ସ୍ୱାହୁ ଏବଂ ବିଶିଷ୍ଟ ଅତିଥିମାନେ ଉଦଘାଟନ କରିଥିଲେ।

ଅତିଥି ଭାବେ ଯାଜପୁର ରୋଡ ଏସଡିପିଓ ଶ୍ରୀ ଶରତ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ଭଟ୍ଟ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀମତୀ ନିବେଦିତା ଗୁରୁ, ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଆଲୋକ କୁମାର ବନ୍ଧ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମହେଶ୍ୱର ସାହୁ ସମଗ୍ର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୪ ଟି ପିଏମ ଶ୍ରୀ ସ୍କୁଲ ଘୋଷଣା ହୋଇଛି ବୋଲି କହିବା ସହ ପିଏମ ଶ୍ରୀ ସ୍କୁଲର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କ୍ରୀଡାଙ୍ଗନ, କୌଶଳ, ଜିଜ୍ଞାସା, ସାହିତ୍ୟ ସୃଜନୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୧୨ ଟି ବିଦ୍ୟାଳୟ ଛାୟା ସଂସଦ ମାଧ୍ୟମରେ ଗଣତନ୍ତ୍ରର ସୁରକ୍ଷା ଏବଂ ଆଇନ ପ୍ରଣୟନରେ ସଂସଦର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହାସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓପନ୍ କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ, ନାୟକ, ଅଭିନୟ ଇତ୍ୟାଦି ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ଶ୍ରୀ ରାଜେନ୍ଦ୍ର କୁମାର ଶତପଥୀ, ପ୍ରୀତିଲୋଚନ ସାହୁଙ୍କ ସହ ବରିଷ୍ଠ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିଲେ।
