ପୂର୍ବ ବୈଠକର ନିଷ୍ପତ୍ତି କାର୍ଯ୍ୟକାରିତା ଓ ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା
ଭୁବନେଶ୍ୱର,୧୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଜୁନ ମାସରେ ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୩ୟ ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ଆଗୁଆ ପଦକ୍ଷେପ ନେବାକୁ ଗତ ଜାନୁଆରୀମାସ ୧୩ ତାରିଖରେ ପ୍ରଥମ ବୈଠକ ଓ ଫେବୃଆରୀ ୧୭ ତାରିଖରେ ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ବୈଠକମାନଙ୍କର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଡଃ. ଅରବିନ୍ଦ କୁମାର ପାଢ଼ୀ, ପୁଲିସ ଡିଜି ଓ୍ୱାଇବି ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ପୂର୍ତ୍ତ, ଇଲୋକଟ୍ରୋନିକ୍ସ ଓ ଆଇଟି, ଆଇନ୍, ବାଣିଜ୍ୟ ଓ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରେଲଓ୍ୱେ କର୍ତ୍ତୃପକ୍ଷ ଆଦି ଉପସ୍ଥିତ ରହି ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ଶ୍ରୀ ପ୍ରତୀକ ସିଂ ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ସୂଚନା ଉପସ୍ଥାପନ କରିଥିଲେ ।
ବୈଠକର ଆଲୋଚନା ଅନୁସାରେ ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଉଭୟ ପଟରେ ପ୍ରମୁଖ ୮ ଟି ସ୍ଥାନରେ ଅସ୍ଥାୟୀ ଡ଼ାକ୍ତରୀ ଚିକିତ୍ସା ସୁବିଧା ସେବା କେନ୍ଦ୍ର ରହିବ । ସେଠାରେ ଜରୁରୀ ଆବଶ୍ୟକତା ସେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ । ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ପଟକୁ ଆମ୍ବୁଲାନ୍ସ ନିର୍ଦ୍ଦିଷ୍ଟ ପଟରେ ଥିବା ଚିକିତ୍ସା କେନ୍ଦ୍ର କୁ ଯାଇପାରିବ । ଏପଟ ସେପଟ ହୋଇ (କ୍ରିସ୍ କ୍ରସ୍ ) ଭଳି ଅନ୍ୟ ଦିଗକୁ ଗତି କରିବାକୁ ପଡିବ ନାହିଁ, ଫଳରେ ଜନଗହଳିରେ ଅସୁବିଧା କମାଇବ । ଆମ୍ବୁଲାନ୍ସ ସେବା ମଧ୍ୟ ପୃଥକ୍ ଭାବେ ଜିଲ୍ଲା ମୁଖ୍ୟାଳୟ ଏବଂ ଆଇଡିଏଚ୍, ପୁରୀକୁ ବିଭିନ୍ନ ଦିଗରେ ହସ୍ପିଟାଲ ସୁବିଧା ପାଇଁ ଗତି କରିପାରିବେ ।
ବୈଠକରେ ସହର ପରିମଳ ଓ ଶୌଚାଳୟ ବ୍ୟବସ୍ଥା ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଅତ୍ୟଧିକ ବର୍ଷା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ପୁରୀ ସହର ଓ ସଂଲଗ୍ନ ରାସ୍ତାର ଉନ୍ନତିକରଣ, ଆବଶ୍ୟକ ବିଦ୍ୟୁତିକରଣ କାର୍ଯ୍ୟ, ରେଳବାଇ ତରଫରୁ ଯାତ୍ରୀ ପରିବହନ ସୁବିଧା ନେଇ ସ୍ୱତନ୍ତ୍ର ପଦକ୍ଷେପ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ପରିଚାଳନା, ରଥକାଠ ସୁବିଧା, ପାର୍କିଂ ଓ ଅତିରିକ୍ତ ପାର୍କିଂ ବ୍ୟବସ୍ଥା, ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ପରିଚାଳନା, ସିସିଟିଭି ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଶ୍ରୀଜିଉଙ୍କ ନୀତିକାନ୍ତି, ଭିଡ ନିୟନ୍ତ୍ରଣ, ରଥଯାତ୍ରା ସଂପର୍କିତ ସୂଚନା ପାର୍ଇସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ୭୦ଟି ପ୍ରମୁଖ ସ୍ଥାନରେ ଏଲଇଡି ଟିଭି ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ପୂର୍ବରୁ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣଧିନ ରାସ୍ତା କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସାରିବା ପାଇଁ କାର୍ଯ୍ୟ ଅଗ୍ରଗତି ଚାଲିଛି । ବୈଠକରେ ପୁରୀରେ ମୋବାଇଲ ନେଟଓ୍ୱାର୍କ ଉନ୍ନତିକରଣ ,ଅଗ୍ନିଶମ ସେବା ଓ ଜରୁରୀ କାଳୀନ ସୁବିଧା, ଜରୁରୀ ଆବଶ୍ୟକ ସ୍ଥଳେ ସ୍ୱେଚ୍ଛାସେବୀ ମୁତୟନ ଓ ସେମାନଙ୍କୁ ପ୍ରଶିକ୍ଷଣ, ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତି, ସିସିଟିଭି ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢୀ ରଥ ନିର୍ମାଣ ପାଇଁ ରଥକାଠ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ଆଗାମୀ ମାର୍ଚ୍ଚ ୨୭ ରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତତି ସଂପର୍କରେ ସୂଚନା ଦେଇଥିଲେ ।
-0-
ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
