ଭୁବନେଶ୍ୱର,୧୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପ ଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଜନସାଧାରଣଙ୍କ ୮୨ଟି ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୫୯ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ଅନ୍ୟ ୨୩ଟି ଅଭିଯୋଗ ବିଭିନ୍ନ ଗ୍ରାମ ସମ୍ବନ୍ଧୀୟ ରହିଥିଲା । ଉକ୍ତ ଅଭିଯୋଗ ଗୁଡିକ ମଧ୍ୟରୁ ୫ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ ।
ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଅନ୍ୟ ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
