ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜୟଦେବ ସମାରୋହ-୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର,୧୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଜୟଦେବ ସମାରୋହ-୨୦୨୬” ଆଜି ଉଦ୍‌ଘାଟିତ ହୋଇଯାଇଛି। ମାର୍ଚ୍ଚ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଉତ୍କଳ ମଣ୍ଡପ ଠାରେ “ଜୟଦେବ ସମାରୋହ-୨୦୨୬” ଆୟୋଜିତ ହେବ।

ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଓଡ଼ିଶାର କଳା, ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କଳା ଜଗତର ଅନେକ ପ୍ରତିଭାମାନେ ହେଉଛନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ। ତେଣୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଏହି ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗର୍ବିତ ଅନୁଭବ କରିବା ଉଚିତ। ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ନିଜର କଳା ଓ ସୃଜନଶୀଳତା ମାଧ୍ୟମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ତଥା ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି।”

ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦଳଗତ ଓଡ଼ିଶୀ ନୃତ୍ୟ, ସୀତାର ବାଦନ, ତବଲା ବାଦନ ପରିବେଷଣ କରିଥିଲେ ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *