କେନ୍ଦ୍ରାପଡ଼ା, ୦୩/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ଶାନ୍ତିପୂର୍ଣ୍ଣଭାବେ ଭୋଟ୍ ଗ୍ରହଣ ସମାପ୍ତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଭୋଟ ଗଣତି ପାଇଁ ୧୦ଟି ଲେଖାଏଁ ଟେବୁଲ୍ ର ଆୟୋଜନ କରାଯାଇଥିବା ବେଳେ ମୋଟ୍ ୫ଟି ବିଧାନସଭା କ୍ଷେତ୍ର ନିମନ୍ତେ ୫୦ଟି ଟେବୁଲ୍ ରେ ଭୋଟ ଗଣତି କରାଯିବ । ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ଭୋଟ୍ ଗଣତି କରାଯିବ । ସେହିପରି ଲୋକସଭା ଆସନ ପାଇଁ ଭୋଟ୍ଗଣତି ପାଇଁ ମୋଟ୍ ୫୦ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ୍ ରେ ଜଣେ କରି କାଉଂଟିଙ୍ଗ୍ ଆସିଷ୍ଟାନ୍ଟ, ଜଣେ କାଉଂଟିଙ୍ଗ୍ ସୁପରଭାଇଜର୍ ଓ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯାଇଛି । ଏକକାଳୀନ ପୋଷ୍ଟାଲ ବାଲାଟ୍ ଓ ଇଭିଏମ୍ ର ଭୋଟ୍ ଗଣତି ଆରମ୍ଭ କରାଯିବ । ପୋଷ୍ଟାଲ୍ ବାଲାଟ୍ ଗଣତି ପାଇଁ ଲୋକସଭା କ୍ଷେତ୍ର ପାଇଁ ମୋଟ୍ ୨୪ଟି ଟେବୁଲ୍ ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟେକ ବିଧାନସଭା ମଣ୍ଡଳୀ ପାଇଁ ୪ଟି ଲେଖାଏଁ ଟେବୁଲ୍ ର ବ୍ୟବସ୍ଥା କରାଯାଇଛି । ପାଟକୁରା ବିଧାନ ସଭା କ୍ଷେତ୍ର ପାଇଁ ୩୧ ରାଉଣ୍ଡ ଗଣତି କରାଯିବାକୁ ଥିବା ବେଳେ କେନ୍ଦ୍ରାପଡ଼ା ପାଇଁ ୨୫ ରାଉଣ୍ଡ, ଆଳି ପାଇଁ ୩୨ ରାଉଣ୍ଡ, ରାଜନଗର ପାଇଁ ୨୯ ରାଉଣ୍ଡ ଓ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ଭୋଟଗଣତି ୨୯ ରାଉଣ୍ଡରେ ଶେଷ ହେବ । ଭୋଟଗଣତି ଶେଷରେ ନିର୍ବାଚନର ସ୍ୱଚ୍ଛତା ଓ ଇଭିଏମ୍ ମେସିନ୍ ଉପରେ ସାର୍ବଜନୀନ ବିଶ୍ୱାସ ପ୍ରକଟ କରିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଲଟେରୀ ପକାଯିବ । ର୍ୟାଣ୍ଡମ୍ ଲି ୫ଟି ଲଟେରୀ ଉଠାଣ ହେବ । ଉଠାଣ ହେଇଥିବା ଲଟେରୀର କ୍ରମାନୁସାରେ ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ । ଭିଭିପାଟ୍ ସ୍ଲିପ୍ ଓ ଇଭିଏମ୍ ମେସିନ୍ ର ଭୋଟ୍ ସହ ଗଣତି ସମନ୍ୱୟ ହେଲେ ଇଭିଏମ୍ ର ବିଶ୍ୱାସନିୟତା ପ୍ରତିଷ୍ଠା ହେବ ଏବଂ ସବୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିବ । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଗତ ରବିବାର ଦିନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍ରୁମ୍ ରେ ସମସ୍ତ ଇଭିଏମ୍ ମେସିନ୍ ରଖାଯାଇ ଷ୍ଟ୍ରଙ୍ଗରୁମ୍ ସିଲ୍ କରାଯାଇଥିଲା । ଏହି ଷ୍ଟ୍ରଙ୍ଗ୍ ରୁମ୍ ଏବେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସିସିଟିଭି ସୁପରିଭିଜନ୍ ସହ ସଶସ୍ତ୍ର ସୁରକ୍ଷା ବାହିନୀ ଇଭିଏମ୍ କୁ ଜଗି ରହିଛନ୍ତି । ପ୍ରାର୍ଥୀଙ୍କ ଏଜେନ୍ଟମାନେ ବାହାରେ ଏଲଇଡି ଡିସପ୍ଲେ ମାଧ୍ୟମରେ ସିସିଟିଭିର ଫୁଟେଜ୍ କୁ ମଧ୍ୟ ଜଗି ରହିଛନ୍ତି । ୨ ପ୍ଲାଟୁନ୍ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ୪ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଓଡ଼ିଶା ପୁଲିସ ର ୧୧ଜଣ ଡିଏସପି, ୨୦ଜଣ ଇନିସପେକ୍ଟର ଓ ଶତାଧିକ ପୁଲିସ୍ କର୍ମଚାରୀ ଇଭିଏମ୍ ମେସିନ୍ ର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଭୋଟଗଣତି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।