ମାହାଙ୍ଗା, ୩୦ /୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଭଦ୍ରେଶ୍ୱର ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା l ଜନୈକ ଦଳିତ ଯୁବକକୁ ଶୁକ୍ରବାର ମରଣାନ୍ତକ ଆକ୍ରମଣ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ମାହାଙ୍ଗା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧି ବାପି ଓରଫ ଜ୍ୟୋତି ସମ୍ରାଟ ପ୍ରହରାଜ ଏବଂ ଜେପି ଓରଫ ଜ୍ୟୋତି ପ୍ରକାଶ ପ୍ରହରାଜ ୨ ଭାଇ ଶୁକ୍ରବାର ରାତିରେ ଭଦ୍ରେଶ୍ୱର ଥାନା ଝଡ଼େଶ୍ୱରପୁର ଗ୍ରାମର ଦଳିତ ଯୁବକ ମନୋଜ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମନୋଜକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ଧାରୁଆ ଅସ୍ତ୍ର ଦ୍ୱାରା ବାପି-ଜେପି ମନୋଜ ର ମୁହଁ ଏବଂ ମୁଣ୍ଡକୁ ହାଣିଦେବାରୁ ଏହି ଦଳିତ ଯୁବକଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲକୁ ନିଆଯାଇଥିଲା । ଦୁର୍ଦ୍ଦାନ୍ତ ଅପରାଧି ବାପି, ଜେପିଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ଖବର ମିଳିଛି । ଏହି ଆକ୍ରମଣ ଘଟଣା ପ୍ରଚାରିତ ହେବା ପରେ ଦଳିତ ବସ୍ତିରେ ଉତ୍ତୋଜନା ସୃଷ୍ଟି ହୋଇଛି । ଅଭିଯୁକ୍ତ ବାପି-ଜେପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଭଦ୍ରେଶ୍ୱର ଥାନାରେ ଦଳିତ ଲୋକମାନେ ପହଂଚି ଅପରାଧୀଙ୍କୁ ଗିରଫ ପାଇଁ ପୋଲିସ ପାଖରେ ଦାବି କରିଥିଲେ ।ତେବେ ପ୍ରତି ଆକ୍ରମଣ ଆଶଙ୍କାରେ ଅଭିଯୁକ୍ତ ୨ ଭାଇ ଭଦ୍ରେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମନୋଜର ଅବସ୍ଥା ଶଙ୍କଟାପନ୍ନ ଥିବାରୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
