ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ପାଳିତ

କେନ୍ଦ୍ରାପଡ଼ା,୧୬/୦୩/୨୦୨୬ (ଓଡ଼ିଶା ସମାଚାର)- ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିକାଶର ଯୋଜନା ପ୍ରଣେତା ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସ୍ୱସ୍ତିକ ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଶ୍ରାଦ୍ଧୋତ୍ସବ ସମାରୋହରେ କେନ୍ଦ୍ରାପଡା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ସଭାପତିତ୍ୱ କରିଥିବା ବେଳେ ଓଡିଶାର ବରିଷ୍ଠ ସାମ୍ବାଦିକ ଓଡିଶା ଭାଷ୍କର ର ସମ୍ପାଦକ ତଥା ଓଡିଶାର ପୂର୍ବତନ ସୂଚନା କମିଶନ ଦିଲ୍ଲିପ କୁମାର ବିଷୋୟୀ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ ।

ଅତିଥିମାନେ ଓଡିଶାର କୃଷି, ଅର୍ଥନୀତି ଓ ଜଳସେଚନ କ୍ଷେତ୍ରରେ ସ୍ୱର୍ଗତ ମଲ୍ଲିକଙ୍କ ବିଶେଷ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ବସନ୍ତ କୁମାର ମଲ୍ଲିକ କେନ୍ଦ୍ରାପଡାର ରାସ୍ତାଘାଟ ନିର୍ମାଣ, ଜଳସେଚନ, ବନ୍ୟାନିୟନ୍ତ୍ରଣ ଓ ଶିକ୍ଷାର ବିକାଶ ପାଇଁ ବିଭିନ୍ନ କଲେଜ ପ୍ରତିଷ୍ଠା ଦିଗରେ ସ୍ୱର୍ଗତ ମଲ୍ଲିକଙ୍କ ବିଶେଷ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗ୍ରାମ କେଶରୀ ମଲ୍ଲିକ ସଭା ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଶୁଭଜ୍ୟୋତି ରାଉତ, ପରିବେଶ କ୍ଷେତ୍ରରେ ସନ୍ତୋଷ ଜେନା, କୃଷି କ୍ଷେତ୍ରରେ ଜୟଦେବ ପରିଡା, ସାହିତ୍ୟ କ୍ଷେତ୍ରରେ କବି ଅଧ୍ୟାପକ ଡକ୍ଟର ଶ୍ରୀଧର ସାମଲ, ସମାଜସେବା ପାଇଁ ରଞ୍ଜନ କୁମାର ମଲ୍ଲିକ ଓ ନଗେନ୍ଦ୍ର ନାଥ ଜେନା, ଶିକ୍ଷା କ୍ଷେତ୍ରରେ ଶିକ୍ଷକ ପ୍ରଣବ ଜେନା, ସଂଗୀତ ଓ କଳା କ୍ଷେତ୍ରରେ ବିମଳ ପରିଡା ପ୍ରମୁଖଙ୍କୁ ଉତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହିତ କେନ୍ଦ୍ରାପଡାର ବହୁ ବିଶିଷ୍ଟବ୍ୟକ୍ତି ସ୍ୱର୍ଗତ ନେତାଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ମାର୍ଶାଘାଇ କଲେଜକୁ ପ୍ରହ୍ଲାଦ ମଲ୍ଲିକଙ୍କ ନାମରେ ନାମିତ କରିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି କେନ୍ଦ୍ରାପଡାରେ ସ୍ଥାପନ କରାଯିବାକୁ ଜୋରଦାର ଦାବି ଉପସ୍ଥାପନ କରିଥିଲେ ।

ସକାଳେ କଜଳାସ୍ଥିତ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତିମୂର୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଫକୀର ଚରଣ ଖଟୁଆ, ହଳଧର ସେଠୀ, ବସନ୍ତ ସେଠୀ, ବିଧୁଭୂଷଣ ମହାପାତ୍ର, ବିଧାନ ଚନ୍ଦ୍ର ସାମଲ, କାଶିନାଥ ରାଉତରାୟ, ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ରମଣୀରଞ୍ଜନ ରାଉତରାୟ, ସରୋଜରାଜ ସିଂହ, ଗୋଲେଖ ପଢିଆରୀ, କେଦାରନାଥ ସାମନ୍ତରାୟ, ହରିଶ ପଟ୍ଟନାୟକ, ହିମାଂଶୁ ଭୂଷଣ ନନ୍ଦ ପ୍ରମୁଖ ଶତାଧିକ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *