କେନ୍ଦ୍ରାପଡାରେ ବଳଦେବଜୀଉ ଜ୍ୟୋତି ଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା

କେନ୍ଦ୍ରାପଡ଼ା,୧୬/୦୩/୨୦୨୬ (ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ରବିବାର ପ୍ରଥମଥର ପାଇଁ କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମୂର୍ତିକୁ ପ୍ରତିଷ୍ଠା କରାଯାଇ ରଥଦାଣ୍ଡରେ ପୂଜାର୍ଚ୍ଚନା କରାଯାଇଥିଲା । ହୂଳହୋଳି ଓ ହରିବୋଲ ଧ୍ୱନୀରେ ସମଗ୍ର ରଥଦାଣ୍ଡ ପ୍ରକମ୍ପିତ ହୋଇ ପଡିଥିଲା । ଏଥିସହିତ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତନ ମଣ୍ଡଳୀ ଗୁଡିକ ନାମସଂକୀର୍ତନରେ ଲୀନ ହୋଇଯାଇଥିଲେ ।

ପରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ରଥ ମାଉସୀମା ମନ୍ଦିର ଦେଇ ଛଗରିଆ ଦେଇ କଳପଡା ଅଭିମୁଖେ ବାହାରିଥିଲା । ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ରଥ ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ, ଭକ୍ତ, ଶ୍ରଦ୍ଧାଳୁ ଓ ସଂକୀର୍ତନ ମଣ୍ଡଳୀ ଗୁଡିକ ନାମସଂକୀର୍ତନ କରି ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଗାଡିରେ ଯାତ୍ରା କରିଥିଲେ । ଏହି ରଥ ବଗଡା ଦେଇ ଗୁପ୍ତକ୍ଷେତ୍ର ସଖିବଟରେ ପହଂଚିଥିଲା । ସେଠାରୁ ମାହାରାକୂଳ, କଦମ୍ବମୂଳ, ଜଗନ୍ନାଥପୁର, ପାରାଚକ ଦେଇ ମେହିନ୍ଦିପୁର ଓ ପରେ ଭରତପୁର ଦେଇ ଶ୍ୟାମସୁନ୍ଦରପୁର, ଦୁହୁରିଆ, କଲେଜଛକ, ଠାକୁରହାଟର ଶ୍ରୀ ଶ୍ରୀ ଲଛମନଜୀଉ ମନ୍ଦିରରେ ପହଂଚିଥିଲା । ସେଠାରେ ରଥକୁ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତ ଯାତ୍ରୀମାନେ ପ୍ରସାଦ ସେବନ କରିଥିଲେ । ପରେ ପୁନର୍ବାର ସେଠାରୁ ଯାତ୍ରା ଆରମ୍ଭ କରି ନିକିରାଇ ବଙ୍ଗାଳିସାହି ଛକ, ଇନ୍ଦୁପୁର ଶ୍ରୀବଳଦେବଜୀଉ ମନ୍ଦିର, ଧୂମାତ ଭକ୍ତବିଳାସ ମଠ, ଚାରିଗାଁ, ଜରିଆବାଡ ଦେଇ ଚଉଦକୁଲାଟ ତମାଳଶାସନସ୍ଥିତ ଶ୍ରୀଦଧିବାମନଜୀଉ ମନ୍ଦିର ନିକଟରେ ପହଂଚିଥିଲା ।

ସେଠାରୁ ଏହି ଜ୍ୟୋତିଯାତ୍ରା ଗୋଗୁଆଛକ ଦେଇ ବାରୋ, କପାଳେଶ୍ୱର, ଗୁଲନଗର, ତିନିମୁହାଣୀଛକ ଦେଇ ନୂଆବସଷ୍ଟାଣ୍ଡ, ପୁରୁଣାବସଷ୍ଟାଣ୍ଡ ଓ ସାନ୍ତସାହି ଦେଇ ପୁନର୍ବାର ରାତି ପ୍ରାୟ ସାଢେ ୯ଟାରେ ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ରଥଦାଣ୍ଡରେ ପହଂଚିଥିଲା । ଏହି ଜ୍ୟୋତିଯାତ୍ରା ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିର ନିକଟରୁ ବାହାରି ଶ୍ରୀବଳଦେବଜୀଉଙ୍କ ଲୀଳା ସହ ସଂଶ୍ଳିଷ୍ଟ ବିଭିନ୍ନ ପୀଠ ପରିକ୍ରମା କରିବା ପରେ ପୁନର୍ବାର ଶ୍ରୀଜୀଉଙ୍କ ପୀଠକୁ ଫେରିଆସିଥିଲା । ଏହି ଜ୍ୟୋତିଯାତ୍ରା ରଥକୁ ପ୍ରତ୍ୟେକ ଗ୍ରାମରେ ସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସମେତ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପ୍ରଫେସର ନନ୍ଦ କିଶୋର ପରିଡା, ଡ. କାଳିପ୍ରସନ୍ନ ଶତପଥୀ, ଡ. ବାସୁଦେବ ଦାସ, ଅଭିମନୁ୍ୟ ଗୋଛାୟତ, ସରୋଜକାନ୍ତ ସାହୁ, ସାମ୍ବାଦିକ ସଚ୍ଚିକାନ୍ତ ନାଥ, ଶଶାଙ୍କଶେଖର ଜେନା, ନିରଞ୍ଜନ ମେକାପ, ଗାୟତ୍ରୀ ମହାନ୍ତି, ଦୈା୍ରପଦୀ ରାଉତ, ନୃସିଂହ ତ୍ରିପାଠୀ, ବଳଦେବସେନାର ପପୁନ ସ୍ୱାଇଁ, ଉମେଶ ଦାସ, ରବିନ୍ଦ୍ର ସାହୁ, ରମେଶ ସାହୁ, ଜ୍ଞାନରଞ୍ଜନ ପ୍ରଧାନ, ଶ୍ରୀଧର ମହାନ୍ତି,ବ୍ରହ୍ମଚାରୀ ନୃସିଂହନାଥ ପ୍ରମୁଖ ଶତାଧିକ ସାଧୁସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *