କେନ୍ଦ୍ରାପଡ଼ା, ୧୦/୬/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଗୋପ ସ୍ଥିତ ଅମରେଶ୍ୱର ପୀଠରେ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ରବିବାର ସକାଳେ ଶୁଭ କଳସ ଜଳଯାତ୍ରା ସହିତ ଗୁରୁପୂଜା, ସୂର୍ଯ୍ୟପୂଜା ଓ ଗୋପୂଜା କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ରୁଦ୍ରାଭିଷେକ ଓ ହୋମଯଜ୍ଞ ପରେ ହର-ପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଅମରେଶ୍ୱରଙ୍କ ସହିତ ମା’ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବେଦୀ ଉପରେ ଉପବିଷ୍ଟ କରାଯାଇଥିଲା । ରୀତି ନୀତି ଅନୁଯାୟୀ ବାଣ ଫୁଟାଇ, ବାଜା ବଜାଇ ଏହି ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ବିବାହ ଉତ୍ସବକୁ ଉପଭୋଗ କରିଥିଲେ । ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇପଡିଥିଲା । ବରଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ଭୋଜିଭାତ ସ୍ୱରୂପ ପ୍ରସାଦ ବଂଟନ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ରୁଦ୍ରଯଜ୍ଞ, ପୂଜାକାର୍ଯ୍ୟ ଓ ବିବାହ ଉତ୍ସବରେ ପଣ୍ଡିତ ଭ୍ରମରବର ନନ୍ଦ, ନରହରି ପତି, ଉମାକାନ୍ତ ପତି, ହରିହର ଶତପଥୀ, କେଦାର କର, ପ୍ରସନ୍ନ ପଣ୍ଡା, କୃଷ୍ଣ ଚନ୍ଦ୍ର ମିଶ୍ର ଓ ରବି ନାରାୟଣ ପତିଙ୍କ ସମେତ ମନ୍ଦିରର ମୁଖ୍ୟ ପୂଜକ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ଯଜ୍ଞ, ପୂଜାପାଠ ଓ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଯଜ୍ଞକର୍ତା ଭାବେ ଭାଗିରଥୀ ସାହୁ ଓ ସ୍ମୃତିରେଖା ସାହୁ ଦାୟୀତ୍ୱ ନିର୍ବାହ କରିଥିବା ବେଳେ ବିବାହ କାର୍ଯ୍ୟରେ ବରପିତା ଭାବେ ପ୍ରକାଶ ଚନ୍ଦ୍ର ପରିଡା ଓ କନ୍ୟାପିତା ଭାବେ ଜୟାଂଶୁ ଶେଖର ପଣ୍ଡା କାର୍ଯ୍ୟନିର୍ବାହ କରିଥିଲେ । ଆସନ୍ତା କାଲି ମଙ୍ଗଳବାର ବରକନ୍ୟାଙ୍କ ଚଳନ୍ତି ପ୍ରତିମା ସହର ପରିକ୍ରମା କରିବା ସହ ରୁଦ୍ର ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ଏହି ଉତ୍ସବରେ ସମୀର କୁମାର ଚାନ୍ଦ, ହିମାଂଶୁ ପଣ୍ଡା, ଦେବେନ୍ଦ୍ର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।