ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୫/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ପାଳିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ପଦ୍ମଶ୍ରୀ ଶ୍ରୀ ବିନୋଦ ମହାରଣା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

“ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଓଡ଼ିଶା ଲଳିତ କଳା ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ନିକଟ ଅତୀତରେ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଛି। ଆମ ରାଜ୍ୟର ବିଭିନ୍ନ ପାରମ୍ପରିକ ଚିତ୍ରକଳାର ସଂରକ୍ଷଣ ସହ ଆଜିର କୃତ୍ରିମ ବୁଦ୍ଧିମତାର ଯୁଗରେ ଚିତ୍ରକଳା କ୍ଷେତ୍ରରେ ଯେପରି ବିଭିନ୍ନ କୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୟୋଗ କରାଯାଇପାରିବ ଏବଂ  ଯୁବ ଚିତ୍ରଶିଳ୍ପୀମାନେ ଯେପରି ଚିତ୍ରକଳା କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ, ସେ ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ” ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜି ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଓଡ଼ିଶାର ସଂସ୍କୃତି” ଶୀର୍ଷକକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କୃତୀ ପ୍ରତିଭାଙ୍କୁ ଏକାଡେମୀ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀ ସୁନୀଲ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଅମ୍ଳାନ ଦାସ  ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *