ବରଗଡ଼ ୦୧/୧୨/୨୦୨୪ (ଓଡ଼ିଶା ସମାଚାର/ସୁଜିତ ବେହେରା)- ଚଳିତ ୨୦୨୪-୨୫ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଗୋଟେ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ପୂର୍ବରୁ ମଧ୍ୟ କଂସ ଭୂମିକାରେ ଅଭିନୟ କରିସାରିଥିବା ଭୁବନେଶ୍ୱର ପ୍ରଧାନ । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବା କଂସ ଭୂମିକା ରେ ଅଭିନୟ ପାଇଁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଚାଲିଥିଲା କଂସ ଚୟନ ପ୍ରକ୍ରିୟା । ଏହି କଂସ ଚୟନ ରେସରେ ରହିଥିଲେ ମାତ୍ର ଚାରିଜଣ କଳାକାର । ଗତ ୨୦୨୨ ମସିହାରେ ହୋଇଥିବା କଂସ ଚୟନ ପ୍ରକ୍ରିୟାରେ ପ୍ରଥମରୁ ପଂଚମ ସ୍ଥାନରେ ରହିଥିବା କଳାକାର ମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଜଣେ କଳାକାରଙ୍କୁ ଆଜି କଂସ ଅଭିନୟ ପାଇଁ ଚୟନ କରାଯାଇଥିଲା । ୨୦୨୨ ମସିହା କଂସ ଚୟନ ପ୍ରକ୍ରିୟାରେ ଉତ୍ତମ ପ୍ରଦର୍ଶନ କରି କଂସ ଭୂମିକାରେ ଅଭିନୟ ପାଇଁ ଚୟନ ହୋଇଥିବା ହୃଷୀକେଶ ଭୋଇଙ୍କୁ ବାଦ ଦେଇ ପଞ୍ଚମ ସ୍ଥାନ ପର୍ୟ୍ୟନ୍ତ ରହିଥିବା ବାକି ତକ ଚାରିଜଣ କଳାକାର ମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରୁଥିବା କଳାକାର କୁ ଚଳିତ ଗୋଟେ ବର୍ଷ ପାଇଁ ସୁଯୋଗ ଦିଆଯିବାକୁ କଳାକାର ଉପଦେଷ୍ଟା ସମିତି ନିଷ୍ପତ୍ତି ନେଇଥିଲା । ଆଜିର କଂସ ଚୟନ ପ୍ରକ୍ରିୟାରେ ଆର୍ତ୍ତତ୍ରାଣ ଶୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ ମିଶ୍ର ଏହି ଚାରିଜଣ ଯାକ କଳାକାର ରେସରେ ରହିଥିଲେ । କଳାକାର ଚୟନ ପାଇଁ କଳକାରିତା କ୍ଷେତ୍ରରେ ପାରଦର୍ଶିତା ଥିବା ଜଜ ମାନଙ୍କ ଏକ ୩ ଜଣିଆ ଟିମ୍ କୁ କଂସ ଚୟନ ପାଇଁ ଦାୟିତ୍ବ ଦିଆଯାଇଥିଲା । ଭବାନୀ ପାଟଣାର ଡ଼ ଉମେଶ ଶତପଥୀ, ଝାରସୁଗୁଡାର ଶ୍ରୀ ସନ୍ଦୀପ ଆଚାର୍ୟ୍ୟ ଓ ବରଗଡ଼ର ଚୂଡ଼ାମଣି ରଥ ଜଜ ଭାବେ କଳାକାରଙ୍କ ପ୍ରଦର୍ଶନକୁ ଦେଖି ମାର୍କ ଦେଇଥିଲେ ଓ ଉତ୍ତମ କଳାକାର ଚୟନ କରିଥିଲେ ।
ଜଜ ମାନଙ୍କ ସମ୍ମୁଖରେ ଚାରିଜଣ ଯାକ କଳାକାର ବିଭିନ୍ନ ସଂଳାପ ସହିତ ନିଜ ନିଜର କଲାକାରିତା ପ୍ରଦର୍ଶନ କରିଥିଲେ । ତେବେ ଉଚ୍ଚ କୋଟିର କଲା ପ୍ରଦର୍ଶନ କରିଥିବା କଳାକାର ଶ୍ରୀ ଭୁବନେଶ୍ୱର ପ୍ରଧାନ ଙ୍କୁ ଜଜ ମାନେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ଉତ୍ତମ କଳାକାର ଭାବେ ଚୟନ କରିଥିଲେ । ଆସନ୍ତା ୨୦୨୫ ଜାନୁୟାରୀ ୩ ତାରିଖରୁ ବରଗଡ଼ରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବେ ।
ହୃଷିକେଶ ଭୋଇ ଯିଏ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାମ କରୁଥିଲେ ସେ ୨୦୨୨ ରୁ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭାବେ ଅଭିନୟ କରି ଆସୁଥିଲେ ମାତ୍ର ଲାଞ୍ଚ କାରବାରରେ ସେ ବିବାଦୀୟ ହୋଇ ଚାକିରିରୁ ନିଲମ୍ବିତ ହେବାପରେ ଲୋକେ ତାଙ୍କୁ ବିରୋଧ କରିଥିଲେ ଓ ନୂତନ କଂସ ଚୟନ ପାଇଁ ଦାବି ହୋଇଥିଲା ।